କନକ ବ୍ୟୁରୋ: ଲୋକସଭାରେ ଆଗତ ହେଇସାରିଛି ଏକ ଦେଶ ଏକ ନିର୍ବାଚନ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଏହାକୁ ଗୃହରେ ଆଗତ କରିଛନ୍ତି । ତେବେ ସଂଖ୍ୟାବଳକୁ ଦୃଷ୍ଟିରେ ରଖିଲେ, ଲୋକସଭାରେ ଏହି ବିଲ୍ ବହୁମତ ହାସଲ କରିନେବ ବୋଲି ସ୍ପଷ୍ଟ ଜଣାପଡୁଛି । ହେଲେ ଚର୍ଚ୍ଚାର ବିଷୟ ହେଲା, ଲୋକସଭାରେ ଏହି ବିଲ୍ ପାସ୍ ହେବା ପରେ, ପରବର୍ତ୍ତୀ ପଦକ୍ଷେପ କଣ ହେବ?

Advertisment

ମିଳିଥିବା ସୂଚନା ମୁତାବକ, ସରକାର ଏହି ବିଲକୁ ଆଗତ କରିବା ପରେ, ଏହାକୁ ସଂସଦର ସଂଯୁକ୍ତ ସମିତି ପାଖକୁ ପଠାଇବାକୁ ସୁପାରିଶ କରିବାକୁ ଯାଉଛି । ଏଥିପାଇଁ ପ୍ରଥମେ ଜେପିସି (ସଂଯୁକ୍ତ ସମିତି)ର ଗଠନ କରାଯିବ । ତେବେ ଏହି ପ୍ୟାନେଲରେ ବିଭିନ୍ନ ଦଳର ସାଂସଦମାନେ ସ୍ଥାନ ପାଇବେ । ଯେହେତୁ ବିଜେପି ବର୍ତ୍ତମାନ ସବୁଠୁ ବଡ଼ ପାର୍ଟି, ତେଣୁ ବିଜେପିର ଏକାଧିକ ସାଂସଦ ଏହି ସମିତିରେ ସ୍ଥାନ ପାଇ ପାରନ୍ତି ।

ସୂଚନା ମୁତାବକ, ଗଠନ ହେବାକୁ ଥିବା ଏହି ସମିତି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ କିଛି ପରାମର୍ଶ ମଧ୍ୟ ଦେବ । ଏହାପରେ ଏହି କମିଟି ଲୋକସଭା ବାଚସ୍ପତିଙ୍କୁ ନିଜର ରିପୋର୍ଟ ପ୍ରଦାନ କରିବ । ଯଦି ଜେପିସି ଏହାକୁ ଗ୍ରୀନ୍ ସିଗନାଲ ଦିଏ, ଆଉ ଏହି ବିଲଟି ସଂସଦର ଉଭୟ ସଦନରେ ବହୁମତ ସହ ପାସ୍ ହେଇଯାଏ, ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହେବ । ତା ପରେ ଯାଇ, ସାରା ଦେଶରେ ଏହି ଆଇନ୍ କାର୍ୟ୍ୟକାରୀ ହେବ ।

ଜାଣିରଖିବା ଉଚିତ୍ ଯେ,  ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗତ ସେପ୍ଟେମ୍ବର ୨ ତାରିଖରେ ଏକ ଦେଶ, ଏକ ନିର୍ବାଚନ ଉପରେ ବିଚାର କରିବାକୁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସଦସ୍ୟ ଥିଲେ । ଏହି କମିଟି ନିଜର ରିପୋର୍ଟ ଦେବା ପରେ, ଏବେ ଲୋକସଭାରେ ଏହି ବିଲ୍ ଆଗତ ହେଇଛି ।