କନକ ବ୍ୟୁରୋ: ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ସଂସଦରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ କରିଛନ୍ତି ମୋଦୀ ସରକାର। ଏଥିପାଇଁ ସମ୍ୱିଧାନ ସଂଶୋଧନ ଆବଶ୍ୟକ ଥିବାରୁ ଦୁଇଟି ବିଲ ଆଗତ ହୋଇଛି।

Advertisment
  • ପ୍ରଥମ ବିଲ୍‌- ସମ୍ୱିଧାନରେ ୧୨୯ତମ ସଂଶୋଧନ ବିଲ୍‌ ୨୦୨୪
  • ଦ୍ୱିତୀୟ ବିଲ୍‌- କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍‌ ୨୦୨୪

ଏଥିପାଇଁ ଲୋକସଭାରେ ମୋସନ ଆଣିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ। ପ୍ରାରମ୍ଭିକ ଆଲୋଚନାରେ ଭାଗନେଇ ଏହାକୁ ସମ୍ୱିଧାନ ବିରୋଧୀ କହି ପ୍ରତ୍ୟାହାର ଦାବି କରିଥିଲେ ବିରୋଧୀ ଦଳ। ଏପରିକି ବିଲ୍‌ ଆଗତ ପାଇଁ ଭୋଟ୍‌ ବିଭାଜନ ଦାବି କରିଥିଲେ।

ତେବେ ପ୍ରଥମେ ବାଚନିକ ଭୋଟ୍‌ ଓ ପରେ ସଂସଦରେ ପ୍ରଥମଥର ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନରେ ଭୋଟ୍‌ ଦେଇଥିଲେ ସଦସ୍ୟ। ସପକ୍ଷରେ ୨୨୦ ଓ ବିପକ୍ଷରେ ୧୪୯ ଭୋଟ ପଡ଼ିଲା। ଏଥିରେ କିଛି ସଦସ୍ୟ ଆପତ୍ତି କରିବାରୁ ପୁଣି ଚିଟ୍‌ ମାଧ୍ୟମରେ ହେଲା ଭୋଟିଂ। ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍‌ ପଡ଼ିବାରୁ ବିଲ୍‌ ଆଗତ ପାଇଁ ବାଟ ଫିଟିଥିଲା। ଏହାପରେ ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ବିଲକୁ ଆଗତ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ 'କ୍ୟାବିନେଟ୍‌ ଅନୁମୋଦନ ବେଳେ ବିଲକୁ ଜେପିସିକୁ ପଠାଇବା ପାଇଁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ତେଣୁ ଆଇନମନ୍ତ୍ରୀ ଚାହିଁଲେ ଏହାକୁ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇ ପାରିବେ।' ଶାହଙ୍କ ପ୍ରସ୍ତାବ ଆଧାରରେ ଏହାକୁ ଜେପିସିକୁ ପଠାଇବା ପାଇଁ ସୁପାରିଶ କରିଛନ୍ତି ଆଇନମନ୍ତ୍ରୀ। ତେଣୁ ଏବେ ବିଲକୁ ନେଇ ଯୁଗ୍ମ ସଂସଦୀୟ କମିଟିରେ ହେବ ବିସ୍ତୃତ ଆଲୋଚନା।

ତେବେ ବିଲ୍‌ ସମ୍ୱିଧାନ ଓ ସଙ୍ଘୀୟ ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଥିବା କହି ବିରୋଧ କରୁଛନ୍ତି ବିରୋଧୀ। କଂଗ୍ରେସ ସମେତ ଟିଏମସି, ଡିଏମକେ, ଆପ, ସିପିଆଇ, ସିପିଏମ ଭଳି ଦଳ ବିଲକୁ ବିରୋଧ କରୁଛନ୍ତି। ଶିବସେନା ଉଦ୍ଧବ ଗୋଷ୍ଠୀ ଓ ଏନସିପି ଶରଦ ଗୋଷ୍ଠୀ ମଧ୍ୟ ବିଲ ବିରୋଧରେ ଅଛନ୍ତି। ତେବେ ବିଲ ସମର୍ଥନରେ ବିଜେପି ସହିତ ଛିଡ଼ା ହୋଇଛନ୍ତି ଟିଡିପି, ଜେଡିୟୁ, ବିଏସପି ସମେତ ଶିବସେନା ସିନ୍ଦେ ଗୋଷ୍ଠୀ ଓ ଏନସିପି ଅଜିତ ଗୋଷ୍ଠୀ। ଏନଡିଏ ମେଣ୍ଟରେ ନଥିବା ୱାଇଏସଆରସିପି ଓ ଅକାଳୀ ଦଳ ମଧ୍ୟ ବିଜେପି ସପକ୍ଷରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

ଏବେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଲୋକସଭା ନିର୍ବାଚନ ସହ ହେଉଛି ବିଧାନସଭା ନିର୍ବାଚନ। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ପାରିତ ହୋଇ ଆଇନରେ ପରିଣତ ହେଲେ ଅନ୍ୟରାଜ୍ୟରେ ମଧ୍ୟ ଲୋକସଭା ନିର୍ବାଚନ ସହ ଏକାଠି ହେବ ଭୋଟ୍‌। ଫଳରେ ଖର୍ଚ୍ଚ କମିବ ଓ ବାରମ୍ବାର ଆଚରଣ ବିଧି ଯୋଗୁଁ ବିକାଶ କାମ ବାଧାପ୍ରାପ୍ତ ହେବନାହିଁ ବୋଲି ମୋଦୀ ସରକାରଙ୍କ ଯୁକ୍ତି।