କନକ ବ୍ୟୁରୋ: ଆଜି ଲୋକସଭାରେ ଆଗତ ହୋଇଛି ଏକ ଦେଶ, ଏକ ନିର୍ବାଚନ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି । ତେବେ ଏହି ବିଧେୟକକୁ ସମ୍ବିଧାନର ୧୨୯ ତମ ସଂଶୋଧନ ବିଧେୟକ ବୋଲି ନାମ ଦିଆଯାଇଛି । ଖାଲି ସେତିକି ନୁହେଁ, ଏହି ବିଲକୁ ଲୋକସଭାରେ ପାସ୍ କରିବାକୁ ଯଥାସମ୍ଭବ ଚେଷ୍ଟା ଚଳାଇଛି ବିଜେପି, ଖାସ୍ ସେଥିପାଇଁ ଆଜି ବିଜେପିର ସମସ୍ତ ସାଂସଦଙ୍କ ପାଇଁ ଦଳ ହ୍ୱିପ୍ ଜାରି କରିଛି ।

Advertisment

ତେବେ ଟିଡିପି ଏହି ବିଲକୁ ସମର୍ଥନ କରିବ ବୋଲି ସଫା ସଫା କହିଦେଇଛି । ଟିଡିପି ନିଜ ଦଳର ସାଂସଦଙ୍କ ପାଇଁ ହ୍ୱିପ୍ ମଧ୍ୟ ଜାରି କରିଛି । ଅନ୍ୟପଟେ ଓ୍ୱାଇଏସଆରସିପି ଦଳର ସାଂସଦ ମଧ୍ୟ ଏହି ବିଲକୁ ତାଙ୍କ ଦଳ ସମର୍ଥନ କରିବ ବୋଲି ସୂଚନା ଦେଇଛନ୍ତି । ଓ୍ୱାଇଏସଆରସିପି ସାଂସଦ ପିବି ମିଥୁନ୍ ରେଡ୍ଡୀ କହିଛନ୍ତି ଯେ, ଆମେ ପ୍ରଥମରୁ ହିଁ ସାଧାରଣ ନିର୍ବାଚନ ସହ ରାଜ୍ୟ ନିର୍ବାଚନ କରୁଛୁ । ତେଣୁ ଆମ ପାଖରେ ମୁଦ୍ଦା ନାହିଁ, ଆମେ ଏହି ବିଲକୁ ସମର୍ଥନ କରିବୁ ବୋଲି ସେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ଏହି ବିଲକୁ ସମର୍ଥନ କରିବନି ବୋଲି କହିଛନ୍ତି କଂଗ୍ରେସ ଦଳର ସାଂସଦ ମନୀଷ ତିଓ୍ୱାରୀ । ଏହି ବିଲ ସମ୍ବିଧାନର ବିରୋଧୀ ବୋଲି କହିବା ସହ ଏହା ସମ୍ବିଧାନର ମୂଳ ଢାଞ୍ଚାର ମଧ୍ୟ ବିରୋଧୀ ବୋଲି ସେ କହିଛନ୍ତି । ଅନ୍ୟପଟେ କଂଗ୍ରେସ ମହାସଚିବ ଜୟରାମ ରମେଶଙ୍କ କହିବା କଥା, ଏହା ସମ୍ବିଧାନ ବଦଳାଇବାର ବିଗୁଲ୍ ଅଟେ ।

ସୂଚନାଯୋଗ୍ୟ ଯେ, ଦେଶରେ ଏକାସାଙ୍ଗରେ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ କରିବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ପ୍ରଥମେ ଲୋକସଭାରେ ଏହି ବିଲ୍ ଅଣାଯାଇଛି । ଅନ୍ୟପଟେ କେନ୍ଦ୍ର ଶାସିତ ପ୍ରଦେଶ ସଂଶୋଧନ ବିଧେୟକରେ ଦିଲ୍ଲୀ, ପଣ୍ଡିଚେରୀ ଏବଂ ଜମ୍ମୁକଶ୍ମୀର ଭଳି କେନ୍ଦ୍ରଶାସିତ ପ୍ରଦେଶର ନିର୍ବାଚନ ମଧ୍ୟ ଏକାସାଙ୍ଗରେ କରିବାକୁ ସରକାର ବିଲ୍ ଆଣିଛନ୍ତି ।