କନକ ବ୍ୟୁରୋ : ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ବ୍ଲଡ୍ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବା । ଏଥିପାଇଁ ବ୍ୟାୟାମ ଏବଂ ଔଷଧ ସହିତ ଖାଦ୍ୟପେୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ରୋଗୀଙ୍କୁ ବାରମ୍ବାର ଭୋକ ମଧ୍ୟ ଲାଗେ । ସେଥିପାଇଁ ତାଙ୍କ ମନରେ ଏକ ସାଧାରଣ ଦ୍ୱନ୍ଦ୍ୱ ଥାଏ ଯେ ଏକାଥରେ ପେଟେ ଖାଇବା ଭଲ, ନା ଦିନସାରା ଅଳ୍ପ ଅଳ୍ପ କରି ଛୋଟ ଛୋଟ ମିଲ୍ ନେବା ଉଚିତ୍ ? ଜାଣନ୍ତୁ ଏ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କ’ଣ କୁହନ୍ତି ।

Advertisment

ଏକାଥରେ ଅଧିକ ଖାଇଲେ କ’ଣ ହୁଏ ?

ଯେତେବେଳେ ଜଣେ ମଧୁମେହ ରୋଗୀ ଏକା ସାଙ୍ଗରେ ବହୁତ ପରିମାଣର ଖାଦ୍ୟ ଖାଇଥାନ୍ତି, ତାଙ୍କ ଶରୀରରେ ରକ୍ତ ଶର୍କରାର ସ୍ତର ହଠାତ୍ ବହୁତ ବଢ଼ିଯାଏ । ଏହାକୁ "ସୁଗାର ସ୍ପାଇକ୍" କୁହାଯାଏ । ବଢୁଥିବା ସୁଗାର ଲେବଲ୍‌କୁ ନିୟନ୍ତ୍ରଣ କରିବା ପାଇଁ ଶରୀରର ପାନ୍‌କ୍ରିଆସ୍ (ଅଗ୍ନ୍ୟାଶୟ) ଉପରେ ଅତ୍ୟଧିକ ଚାପ ପଡ଼ିଥାଏ ଏବଂ ଇନସୁଲିନ୍‌କୁ ଅଧିକ କାମ କରିବାକୁ ପଡ଼େ । ଦୀର୍ଘ ସମୟ ଧରି ଏପରି ହେଲେ, ଇନସୁଲିନ୍ ପ୍ରତିରୋଧ ବଢ଼ିଯାଏ ଏବଂ ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରିବା ଆହୁରି କଷ୍ଟକର ହୋଇପଡେ ।

ଅଳ୍ପ ଅଳ୍ପ କରି ବାରମ୍ବାର ଖାଇବାର ଫାଇଦା

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧୁମେହ ରୋଗୀଙ୍କୁ ଦିନକୁ ତିନୋଟି ବଡ଼ ଭୋଜନ ବଦଳରେ ୫ରୁ ୬ଟି ଛୋଟ ଛୋଟ ଭୋଜନ କରିବାକୁ ପରାମର୍ଶ ଦିଅନ୍ତି । ଏହାର ଅନେକ ଫାଇଦା ରହିଛି:
୧.ରକ୍ତ ଶର୍କରା ନିୟନ୍ତ୍ରଣ: ବାରମ୍ବାର ଅଳ୍ପ ଖାଇବା ଦ୍ୱାରା ରକ୍ତରେ ଶର୍କରାର ସ୍ତର ହଠାତ୍ ବଢ଼ିନଥାଏ ବରଂ ଏହା ଦିନସାରା ପ୍ରାୟତଃ ସ୍ଥିର ରହେ ।
୨. ମେଟାବୋଲିଜିମ୍ ଉନ୍ନତ ହୁଏ: ଏହା ଶରୀରର ମେଟାବୋଲିଜିମ୍‌କୁ ସକ୍ରିୟ ରଖେ, ଯାହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ ।
୩. ଭୋକ ନିୟନ୍ତ୍ରଣ: ଏହା ବାରମ୍ବାର ଲାଗୁଥିବା ଅତ୍ୟଧିକ ଭୋକକୁ କମ୍ କରେ ଯାହାଦ୍ୱାରା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତି ।
୪. ଏନର୍ଜି ଲେବଲ ବଜାୟ ରହେ: ଦିନସାରା ଶରୀରରେ ଏନର୍ଜି ଲେବଲ ବଜାୟ ରହିବା ସହ ସତେଜ ଅନୁଭବ ହୁଏ ।
କ’ଣ ଖାଇବେ?

କେବଳ ଛୋଟ ମିଲ୍ ନେବା ଯଥେଷ୍ଟ ନୁହେଁ, ବରଂ ସେହି ମିଲ୍‌ରେ କ’ଣ ଖାଉଛନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଖାଦ୍ୟରେ କାର୍ବୋହାଇଡ୍ରେଟ୍ , ପ୍ରୋଟିନ୍ , ଫାଇବର ଏବଂ ସୁସ୍ଥ ଫ୍ୟାଟ୍‌ର ସଠିକ୍ ସନ୍ତୁଳନ ରହିବା ଆବଶ୍ୟକ । ଯେପରିକି ଓଟ୍ସ , ମାଣ୍ଡିଆ ,ଡାଲି , ପନିର , ସବୁଜ ପନିପରିବା ଏବଂ ସାଲାଡ୍‌ ଆଦି ଖାଇବା ଆବଶ୍ୟକ ।

ତେବେ ମଧୁମେହ ରୋଗୀଙ୍କ ପାଇଁ ଦିନରେ ଏକାଥରେ ପେଟେ ଖାଇବା ଅପେକ୍ଷା, ଦିନସାରା ଅଳ୍ପ ଅଳ୍ପ କରି ୫ରୁ ୬ ଥର ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଏହା ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣରେ ରଖିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ତେବେ, କୌଣସି ଡାଏଟ୍ ପ୍ଲାନ୍ ଆରମ୍ଭ କରିବା ପୂର୍ବରୁ ଡାକ୍ତର କିମ୍ବା ଜଣେ ଡାଏଟିସିଆନଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।