କନକ ବ୍ୟୁରୋ : ବ୍ରହ୍ମପୁର ବଡ଼ ମେଡିକାଲରେ ଏ ଖବର ଯିଏ ଶୁଣିଲା ସିଏ କହିଲା ଅବ୍ୟବସ୍ଥା । କିନ୍ତୁ ଶିଶୁ ବିଭାଗ ବାଢ଼ିଛି ଅଜବ ଯୁକ୍ତି । କହିଛି ଚିକିତ୍ସା ପଦ୍ଧତିରେ ରହିଛି ଏପରି ବ୍ୟବସ୍ଥା । ଚିକିତ୍ସା ବିଜ୍ଞାନ ବହିରେ ମଧ୍ୟ ଲେଖାଅଛି । ସମାନ ଅମ୍ଳଜାନ ସ୍ତର ଥିଲେ ଗୋଟିଏ ସିଲିଣ୍ଡରରୁ ଦୁଇ ଜଣଙ୍କୁ ଦେଇହେବ । ଅମ୍ଳଜାନ ନେଇଥିବା ଶିଶୁଙ୍କ ଶରୀରରେ ସମାନ ସ୍ତର ଥିଲା । ଏହି ଯୁକ୍ତି ସାମ୍ନାକୁ ଆସିବା ପରେ କେଉଁ ବହିରେ ଏହାର ଲେଖାଯାଇଛି, ତାର ରେଫରେନ୍ସ ଦେବାକୁ ଶିଶୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏମକେସିଜି ଅଧିକ୍ଷକ । 

Advertisment

ସେପଟେ କେଉଁ ପରିସ୍ଥିତିରେ ଏଭଳି ହେଲା, ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆରଡିସି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରଡିସି କହିଛନ୍ତି । ଗତକାଲି ଏମକେସିଜି ସୁପର ସ୍ପେଶାଲିଟି କୋଠା ପାଖରେ ଦୁଇ ନବଜାତ ଶିଶୁଙ୍କୁ ଇକୋ ଚିକିତ୍ସା ଲାଗି ପରିବାର ଲୋକେ ଆଣିଥିଲେ । କିନ୍ତୁ ଦୁଇ ଶିଶୁଙ୍କ ଲାଗି ଦୁଇଟି ଅକ୍ସିଜେନ ସିଲିଣ୍ଡର ମିଳିନଥିଲା । ବାଧ୍ୟ ହୋଇ ଦୁଇ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ ଦିଆଯାଇଥିଲା । ବଡ଼ ଡାକ୍ତରଖାନାରେ ଅକ୍ସିଜେନ ସୁବିଧା ନାହିଁ । ହେଲେ ଦୋଷ ଲୁଚାଇବାକୁ ଯାଇ ଶିଶୁ ବିଭାଗ ଯେଉଁ ଅଜବ ଯୁକ୍ତି ବାଢ଼ିଛି ତାହା ଆହୁରି ଚିନ୍ତା ଜନକ । ଯଦି କୌଣସି ଅଘଟଣ ଘଟିଥାନ୍ତା, ଏଥି ପାଇଁ କିଏ ଦାୟୀ ହୋଇଥାନ୍ତା ।