କନକ ବ୍ୟୁରୋ: ଶିକ୍ଷା କ୍ଷେତ୍ରରେ ଆସିବ ସଂସ୍କାର । ଶିଶୁବାଟିକାରୁ ଦ୍ୱାଦଶ ଯାଏଁ ରହିବ ଗୋଟିଏ ବୋର୍ଡ । ନୂଆ ଶିକ୍ଷା ନୀତି ଅନୁସାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । କଣ ରହିବ ଆଧାର, କେମିତି ହେବ କାର୍ଯ୍ୟକାରୀ । ଯଦିଓ ଏନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନି ତଥାପି ତାକୁ ନେଇ ଚାଲିଛି ଆଲୋଚନା, ଘନ ଘନ ବୈଠକ। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍ ।
ଖୁବ୍ଶୀଘ୍ର ଗୋଟିଏ ବୋର୍ଡ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । କିନ୍ତୁ ନୂଆ ବୋର୍ଡ ନେଇ କଣ ରହିବ ଆଧାର ? କେମିତି ହେବ କାର୍ଯ୍ୟକାରୀ ? କେଉଁଠି ରହିବ କାର୍ଯ୍ୟାଳୟ? ଏନେଇ କୌଣସି ସ୍ପଷ୍ଟ ଚିତ୍ର ସାମନାକୁ ଆସିନି । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଆଲୋଚନା ଚାଲିଛି । କିନ୍ତୁ କିଛି ନିଷ୍ପତ୍ତି ହୋଇନି ।
ରାଜ୍ୟରେ ଏବେ ୭୦ ହଜାରରୁ ଅଧିକ ଅଙ୍ଗନବାଡ଼ି, ପ୍ରାୟ ୫୫ହଜାର ପ୍ରାଥମିକ ସ୍କୁଲ, ପ୍ରାୟ ୧୦ହଜାର ମାଧ୍ୟମିକ ସ୍କୁଲ ଏବଂ ଅଢ଼େଇ ହଜାର ଯୁକ୍ତ ଦୁଇ କଲେଜ ରହିଛି । ଏଭଳି ସ୍ଥିତିରେ ଗୋଟିଏ ବୋର୍ଡ ନିଷ୍ପତ୍ତି କିଭଳି କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ କରିଛନ୍ତି ଶିକ୍ଷାବିତ୍ । ସେପଟେ ନୂଆ ଶିକ୍ଷା ନୀତି ଅନୁସାରେ ତୃତୀୟ, ପଞ୍ଚମ ଏବଂ ସପ୍ତମ ଶ୍ରେଣୀ ପରୀକ୍ଷା ସହ ନବମ, ଦଶମ ଶ୍ରେଣୀରେ ସେମିଷ୍ଟାର ଆରମ୍ଭ ହେବ । ତେଣୁ ଗୋଟିଏ ବୋର୍ଡ ଦ୍ୱାରା ଗୁଣାତ୍ମକ ଶିକ୍ଷା, ପରୀକ୍ଷା ପରିଚାଳନା, ରେଜଲ୍ଟ ପ୍ରକାଶରେ ସମସ୍ୟା ହେବ ବୋଲି କହିଛନ୍ତି ଶିକ୍ଷାବିତ୍ ।
ଏବେ ଅପେକ୍ଷା ଗୋଟିଏ ବୋର୍ଡ ନେଇ ନିଷ୍ପତ୍ତି କେବେ କାର୍ଯ୍ୟକାରୀ ହେବ । ଆଉ ଏହା ହେଲେ ବିରୋଧ ସମ୍ଭାବନା ଥିବାରୁ ସରକାରଙ୍କ ପାଇଁ ନିଶ୍ଚିତ ରୂପେ ଏହା ଚ୍ୟାଲେଞ୍ଜ ହେବ ।