କନକ ବ୍ୟୁରୋ: କଟକ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ବି ସଂପୃକ୍ତ ଅଛି । ପୀଡତାଙ୍କ ଏହି ବୟାନ ପରେ ପୁଣି ଆକ୍ସନକୁ ଆସିଛି କମିଶନରେଟ ପୁଲିସ । ତଦନ୍ତକୁ ଜୋରଦାର କରିଛି । ସେପଟେ କଟକ ଯାଇଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ବିଜେଡି-ବିଜେପି ବୟାନବାଜି ତେଜିଛି ।
କଟକରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ମାମଲାରେ ସଂପୃକ୍ତ ୬ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ପୀଡିତାଙ୍କ ଅଭିଯୋଗ ଅନୁସାରେ, ଏଥିରେ ଆଉ ଜଣେ ସଂପୃକ୍ତ ଅଛି । ତା ଘର ଜଗତସିଂହପୁର ଜିଲ୍ଲାରେ। କିନ୍ତୁ ସେ ଫେରାର ହୋଇଯାଇଛି । ତେଣୁ ସପ୍ତମ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ। ପୁଲିସ ଆଉ ଜଣକର ସଂପୃକ୍ତିକୁ ମଧ୍ୟ ମାନିଛି। ଏବଂ ଧରିବା ପାଇଁ ତଦନ୍ତକୁ ଜୋରଦାର କରିଛି। ତେବେ ପୀଡିତା ସୁସ୍ଥ ଅଛନ୍ତି ଓ ତାଙ୍କ ପରିବାର ସହ ପୁଲିସ ସମ୍ପର୍କରେ ଅଛି ବୋଲି କଟକ ଡିସିପି କହିଛନ୍ତି ।
କାର୍ଯ୍ୟାନୁଷ୍ଠାନ ନେଇ ତେଜିଲା ରାଜନୀତି
ବିଜେଡି-ବିଜେପି ବୟାନବାଜି
କଟକ କଲେଜଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠୁଥିବାବେଳେ ରାଜନୈତିକ ବୟାନବାଜି ଜୋର ଧରିଛି । କଟକରେ ଥିବା କାଫେକୁ ଯାଇ ବିଜେଡି ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ କରିଛି । ଡିସିପିଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଫେରାର ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦଳ ଦାବି କରିଛି । ସ୍ଥାନୀୟ ବିଜେପି କର୍ପୋରେଟରକୁ ବି କାଠଗଡାକୁ ଟାଣିଛି । ତେବେ ଅଭିଯୋଗକୁ ଖଣ୍ଡନ କରିବା ସହ ଆଇନ ଶୃଙ୍ଖଳା ପାଇଁ ପୂର୍ବ ସରକାରକୁ ଦାୟୀ କରିଛି ବିଜେପି । ଘଟଣାରେ ପୁଲିସ ଅଭିଯୁକ୍ତଙ୍କ ମୋବାଇଲ ଜବତ କରିଛି । କାଫେ ଉପରେ ବି ଚଢାଉ କରି ବୟାନ ରେକର୍ଡ କରିଛି । ଏସବୁ ସତ୍ତ୍ୱେ ପୁଲିସର ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।