କନକ ବ୍ୟୁରୋ : ଯେତେବେଳେ ଦିଲ୍ଲୀ କଥା ଉଠେ ସେତେବେଳେ ପ୍ରଥମେ ଲାଲକିଲ୍ଲାର ଚିତ୍ର ଆପେ ଆପେ ମନକୁ ଆସିଯାଏ । ଏହା କେବଳ ଏକ ଐତିହାସିକ ସ୍ମାରକୀ ନୁହେଁ ବରଂ ଭାରତର ସ୍ୱାଧୀନତା ଏବଂ ଗୌରବର ପ୍ରତୀକ । ପ୍ରତିବର୍ଷ ସ୍ୱାଧୀନତା ଦିବସରେ ଦେଶର ପ୍ରଧାନମନ୍ତ୍ରୀ ଏହିଠାରୁ ହିଁ ତ୍ରିରଙ୍ଗା ଉଡ଼ାଇ ଦେଶକୁ ସମ୍ବୋଧିତ କରନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେ ଯେଉଁ କିଲ୍ଲାକୁ 'ଲାଲକିଲ୍ଲା' ନାମରେ ଜାଣୁ, ତାହା ପୂର୍ବରୁ ଲାଲ୍ ନଥିଲା । ଏକଦା ଏହାର ରଙ୍ଗ ସମ୍ପୂର୍ଣ୍ଣ ଧଳା ଥିଲା ।
ଶାହଜାହାନଙ୍କ ଦ୍ୱାରା ନିର୍ମିତ ଧଳା ଦୁର୍ଗ
ମୋଗଲ ସମ୍ରାଟ ଶାହଜାହାନ ୧୭ଶ ଶତାବ୍ଦୀରେ ଏହି ବିଶାଳ ଦୁର୍ଗର ନିର୍ମାଣ କରାଇଥିଲେ । ସେତେବେଳେ ଏହାର ନାମ 'କିଲା-ଏ-ମୁବାରକ' ବା 'ଆଶୀର୍ବାଦ ପ୍ରାପ୍ତ ଦୁର୍ଗ' ଥିଲା । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅନୁଯାୟୀ, ଏହି କିଲ୍ଲାର ନିର୍ମାଣରେ ଲାଲ୍ ବାଲୁଆ ପଥର ବ୍ୟବହାର କରାଯାଇଥିଲେ ମଧ୍ୟ, ଏହାର କାନ୍ଥଗୁଡ଼ିକୁ ଚୂନ ପଥରର ପ୍ଲାଷ୍ଟର ଦ୍ୱାରା ଧଳା ରଙ୍ଗ ଦିଆଯାଇଥିଲା । ଶାହାଜାହାଁଙ୍କୁ ବହୁତ ପସନ୍ଦ ଥିଲା, ଯାହାର ପ୍ରମାଣ ତାଜମହଲରୁ ମଧ୍ୟ ମିଳିଥାଏ। ତେଣୁ, ଏହି କିଲ୍ଲାଟି ମୂଳତଃ ଧଳା ଦୁର୍ଗ ଥିଲା ।
ଇଂରେଜମାନେ କାହିଁକି ବଦଳାଇଲେ ରଙ୍ଗ ?
ସମୟକ୍ରମେ କିଲ୍ଲାର ଧଳା ପ୍ଲାଷ୍ଟର ନଷ୍ଟ ହେବାକୁ ଲାଗିଲା ଏବଂ ଅନେକ ସ୍ଥାନରୁ ରଙ୍ଗ ଛାଡ଼ିଗଲା । ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପରେ ଯେତେବେଳେ ଇଂରେଜମାନେ ମୋଗଲମାନଙ୍କୁ ହଟାଇ କିଲ୍ଲା ଉପରେ କବ୍ଜା କଲେ, ସେମାନେ ଏହାର ମରାମତି କାର୍ଯ୍ୟ ଆରମ୍ଭ କଲେ । କ୍ଷତିଗ୍ରସ୍ତ ଧଳା ପ୍ଲାଷ୍ଟରକୁ ପୁଣିଥରେ ଲଗାଇବା ପରିବର୍ତ୍ତେ, ଇଂରେଜମାନେ ଏହାକୁ ଲାଲ୍ ରଙ୍ଗରେ ରଙ୍ଗେଇ ଦେବାକୁ ସ୍ଥିର କଲେ । ଏହାର କାରଣ ଇଂରେଜମାନେ ନିଜର ସ୍ଥାୟୀତ୍ୱ ଜାହିର କରିବାକୁ ଯାଇ ନିଜ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ କରୁଥିଲେ । ପ୍ଲାଷ୍ଟର ତଳେ ଥିବା ଲାଲ୍ ବାଲୁଆ ପଥର ସହ ମେଳ ଖାଉଥିବାରୁ ଏହି ରଙ୍ଗକୁ ବଛାଗଲା । ଏହା ପରଠାରୁ 'କିଲା-ଏ-ମୁବାରକ' 'ଲାଲକିଲ୍ଲା' ନାମରେ ପରିଚିତ ହେଲା ।
ଆଜି ଲାଲକିଲ୍ଲା ଦିଲ୍ଲୀର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଏବଂ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପାଇଛି । ଲାଲ୍ ରଙ୍ଗ ହିଁ ଏହାର ପରିଚୟ ପାଲଟିଛି । କିନ୍ତୁ ଏହାର ଇତିହାସ ଏହି ରହସ୍ୟକୁ ଲୁଚାଇ ରଖିଛି ଯେ ଭାରତର ଏହି ଗୌରବମୟ ପ୍ରତୀକଟି ଏକଦା ଧଳା ରଙ୍ଗରେ ଶୋଭା ପାଉଥିଲା ।