କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ । ଇଏ ସେହି ଦଳ, ଯିଏ ୭୦ରୁ ୯୦ ଦଶକ ପର୍ଯ୍ୟନ୍ତ ବିଶ୍ବ କ୍ରିକେଟ୍‌ରେ ରାଜ୍ କରୁଥିଲା । ଇଏ ସେହି ଦଳ, ଯିଏ ପ୍ରଥମ ଦୁଇଟି ବିଶ୍ବକପ୍ ଜିତିଥିଲା । ଇଏ ସେହି ଦଳ, ଯିଏ ଆଇସିସିର ତିନୋଟି ଯାକ ଟ୍ରଫି ଜିତିଛି । ଇଏ ଏଭଳି ଏକ ଦଳ, ଯିଏ ଭିଭାନ ରିଚାର୍ଡ୍ସ, ବ୍ରାଏନ୍ ଲାରା, କର୍ଟନୀ ୱାଲ୍ସ, କର୍ଟଲୀ ଆମ୍ବ୍ରୋଜ, ମାଲକମ ମାର୍ଶାଲ, ଆଣ୍ଡି ରବର୍ଟ୍ସ, ମାଇକେଲ ହୋଲ୍ଡିଂ ଓ ଜୋଏଲ ଗାର୍ନରଙ୍କ ଭଳି ଖେଳାଳି ମଇଦାନରେ ଥିଲେ, ବିରୋଧୀ ଦଳ ଆତଙ୍କିତ ହେଉଥିଲେ । କିନ୍ତୁ ହଠାତ୍ ଏମିତି କ’ଣ ଘଟିଗଲା ଯେ, ଏବେ ସେହି ଦଳର ନାଁ କ୍ରିକେଟରୁ ହଜିବାକୁ ବସିଲାଣି  । 

Advertisment

ମାଲକମ୍ ମାର୍ଶାଲ, କର୍ଟଲୀ ଆମ୍ବ୍ରୋଜ, କର୍ଟନୀ ୱାଲ୍ସ, ମାଇକେଲ ହୋଲ୍ଡିଂ, ଆଣ୍ଡି ରବର୍ଟ୍ସ, ଜୋଏଲ ଗାର୍ନର। ଆଜିର ଯୁବପିଢ଼ି ବୋଧହୁଏ ଏମାନଙ୍କ ନାଁ ଶୁଣିନଥିବେ। କିନ୍ତୁ ୭୦ରୁ ୯୦ ଦଶକ ପର୍ଯ୍ୟନ୍ତ କ୍ରିକେଟ୍‌ ଦେଖିଥିବା ପ୍ରତିଟି ଫ୍ୟାନ୍ ଏହି ନାଁକୁ ଭଲଭାବେ ମନେ ରଖିଥିବେ । ଏମାନେ କେବଳ ବୋଲର ନଥିଲେ, ବିରୋଧୀ ଦଳ ପାଇଁ ଥିଲେ ଆତଙ୍କ । ମଇଦାନକୁ ଆସିବା ମାତ୍ରକେ ଥରହର ହେଉଥିଲେ ବ୍ୟାଟର । ସଠିକ୍ ପେସ୍, ସଠିକ୍ ଲାଇନ୍ ଲେନ୍ଥ, ସୁଇଂରେ ଘାଇଲା ହେଉଥିଲେ ପ୍ରତିପକ୍ଷ ବ୍ୟାଟର । ବିଶ୍ବ କ୍ରିକେଟ୍‌ରେ ଏଭଳି ଆତଙ୍କ ଖେଳାଉଥିବା ବୋଲର, କେବଳ ୱେଷ୍ଟଇଣ୍ଡିଜ୍ ଟିମ୍‌ରେ ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ବୋଲିଂ ନୁହେଁ, ବ୍ୟାଟିଂରେ ମଧ୍ୟ ବେଶ୍ ଶକ୍ତିଶାଳୀ ଥିଲା ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ । କ୍ଲାଇବ ଲୟଡ, ଭିଭିଆନ୍ ରିଚାର୍ଡ୍ସ, ଗ୍ୟାରୀ ସୋବର୍ସ, ଗର୍ଡନ ଗ୍ରୀନିଜ୍, ଡେସମଣ୍ଡ ହେନ୍ସ, ବ୍ରାଏନ୍ ଲାରା, ଶିବନାରାୟଣ ଚନ୍ଦରପଲ ଦଳକୁ ନୂଆ ଶିଖରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ହେଲେ ଆଜି ବିଶ୍ବ କ୍ରିକେଟ୍‌ରେ ତ ପ୍ରଭାବ ଛାଡ଼ିବା ଦୂରର କଥା, ତିଷ୍ଠିବାକୁ ବି ସଂଘର୍ଷ କରୁଛି । 

୧୯୨୮ରେ ଅନ୍ତର୍ଜାତୀୟ ଟେଷ୍ଟ ମାନ୍ୟତା ପାଇଥିଲା ୱେଷ୍ଟଇଣ୍ଡିଜ୍। ଆରମ୍ଭରୁ ଦଳରେ ବ୍ରିଟିଶ ବା ଗୋରା ଖେଳାଳି ହାତରେ ଥିଲା ଟିମର ମଙ୍ଗ । ୧୯୬୦ରେ ପ୍ରଥମଥର କୃଷ୍ଣକାୟ ଖେଳାଳି ଫ୍ରାଙ୍କ ଓରେଲଙ୍କୁ ଦଳର ନେତୃତ୍ବ ଦିଆଯାଇଥିଲା । ଫ୍ରାଙ୍କ ଓରେଲ ଓ ଗ୍ୟାର ସୋବର୍ସ ସାଧାରଣ ଦେଖାଯାଉଥିବା ୱେଷ୍ଟଇଣ୍ଡିଜକୁ ଏକ ମଜଭୁତ୍ ଓ ଘାତକ ଦଳ ଭାବେ ଗଢ଼ିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ୧୯୭୦ ଦଶକରେ କ୍ଲାଇଭ ଲୟଡଙ୍କ ଆଗମନ ସହ ୱେଷ୍ଟଇଣ୍ଡିଜ୍ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା। ଗର୍ଡନ ଗ୍ରୀନିଜ୍, ଭିଭିଆନ୍ ରିଚାର୍ଡ୍ସ, ମାଇକେଲ ହୋଲ୍ଡିଂ ଏବଂ ମାଲକମ୍ ମାର୍ଶାଲଙ୍କ ଭଳି ପେସରଙ୍କ ଆତଙ୍କ, ୱେଷ୍ଟଇଣ୍ଡିଜକୁ ବିଶ୍ବ କ୍ରିକେଟର ଅନଅଫିସିଆଲ ବିଶ୍ବ ଚାମ୍ପିଅନ୍ ଭାବେ ଛିଡ଼ା କରିଥିଲା । ୧୯୭୫ ବିଶ୍ବକପ୍ ପାଇଁ ସବୁ ଦଳ ପ୍ରସ୍ତୁତିରେ ଲାଗିଥିଲା ବେଳେ ୱେଷ୍ଟଇଣ୍ଡିଜର ଆତ୍ମବିଶ୍ବାସ ଊର୍ଦ୍ଧ୍ବରେ ଥିଲା । ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମଥର ବିଶ୍ବକପ୍ ନିଜ ନାଁରେ କରିଥିଲା। ୧୯୭୯ ବିଶ୍ବକପ୍ ପାଇଁ ମଧ୍ୟ ଶ୍ରେଷ୍ଠ ଦାବିଦାର ଥିଲା କ୍ୟାରିବିଆନ ଦଳ । ଆଉ ଫାଇନାଲରେ ଭିଭିଆନ୍ ରିଚାର୍ଡ୍ସଙ୍କ ଶତକ ଜୋଏଲ ଗାର୍ନରଙ୍କ ଘାତକ ବୋଲିଂ ଦମରେ ଇଂଲଣ୍ଡକୁ ହରାଇ ପୁଣି ବିଶ୍ବ ବିଜେତା ହୋଇଥିଲା ୱେଷ୍ଟଇଣ୍ଡିଜ୍ । ଯଦିଓ ୧୯୮୩ରେ ଦଳର ହ୍ୟାଟ୍ରିକ୍ ବିଶ୍ବକପ୍ ଜିତିବାରେ ବ୍ରେକ୍ ଲାଗିଥିଲା, କିନ୍ତୁ ବିଶ୍ବ କ୍ରିକେଟରେ ଦବଦବା କାଏମ ରହିଥିଲା । ପରିଣାମ ସ୍ବରୂପ ୧୯୭୯ରୁ ୧୯୯୪ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଗୋଟିଏ ବି ଟେଷ୍ଟ ସିରିଜ୍ ହାରିନଥିଲା । ଲଗାତର ବିଜୟ ଓ ଦମଦାର ପ୍ରଦର୍ଶନ, ବିଶ୍ବର ସବୁଠାରୁ ଘାତକ ଦଳ ଭାବେ ପରିଚୟ ଦେଇଥିଲା । କିନ୍ତୁ ୯୦ ଦଶକ ପରେ ଆରମ୍ଭ ହୋଇଥିଲା ଦଳର ପତନ । କାହିଁକି ଏଭଳି ଅବସ୍ଥା ହେଲା କ୍ୟାରିବିଆନ୍ ଦଳର। ଆସନ୍ତୁ ନଜର ପକାଇବା।

ୱେଷ୍ଟଇଣ୍ଡିଜ୍‌ର ପତନ 
୯୦ ଦଶକ ଆରମ୍ଭରୁ କିଛି ପ୍ରମୁଖ ଖେଳାଳିଙ୍କ ଅବସର
ଭିଭିଆନ୍ ରିଚାର୍ଡ୍ସ, ଗର୍ଡନ ଗ୍ରୀନିଜ୍ ଓ ମାଲକମ୍ ମାର୍ଶାଲଙ୍କ ଅବସର
୧୯୯୨ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ
୧୯୯୫ରେ ନିଜ ମାଟିରେ ଅଷ୍ଟ୍ରେଲିଆଠାରୁ ଟେଷ୍ଟ ସିରିଜ୍ ପରାଜୟ
ଏହା ପରଠାରୁ ଟେଷ୍ଟରେ ତା’ର ପୂର୍ବ ଗରିମା ହରାଇଥିଲା ଦଳ
୧୯୯୬ ବିଶ୍ବକପ୍‌ରେ କେନିଆ ଠାରୁ ହାରିବା ସତ୍ତ୍ବେ ସେମିଫାଇନାଲରେ ପହଞ୍ଚିଥିଲା ଦଳ
୧୯୯୮ରେ ପ୍ରଥମ ଚାମ୍ପିୟନ୍ସ ଟ୍ରଫିରେ ରନର୍ସଅପ୍
୨୦୦୧ରେ ଶ୍ରେଷ୍ଠ ବୋଲିଂ ଯୋଡ଼ି ୱାଲ୍ସ ଓ ଆମ୍ବ୍ରୋଜଙ୍କ ଅବସର
୨୦୦୭ରେ ବ୍ରାଏନ୍ ଲାରାଙ୍କ ସନ୍ନ୍ୟାସ

୨୦୦୦ ମସିହା ପରଠାରୁ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ୱେଷ୍ଟଇଣ୍ଡିଜର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଥିଲା। ଏହାରି ଭିତରେ କିନ୍ତୁ ଟି-୨୦ କ୍ରିକେଟରେ ଦଳକୁ ମିଳିଥିଲା ବଡ଼ ସଫଳତା। ୨୦୧୨ ଓ ୨୦୧୬ରେ ଟି-୨୦ ବିଶ୍ବକପ୍ ଜିତିଥିଲା ୱେଷ୍ଟଇଣ୍ଡିଜ୍। ଏହି ଛୋଟିଆ ଫର୍ମାଟକୁ ଛାଡ଼ିଦେଲେ ଅନ୍ତର୍ଜାତୀୟ କ୍ରିକେଟରେ ଦଳର ସ୍ଥିତି ଦୟନୀୟ। ତେବେ ଦଳ ପାଇଁ ସବୁଠାରୁ ଲଜ୍ଜାଜନକ ଥିଲା ୨୦୨୩ ବିଶ୍ବକପକୁ ଯୋଗ୍ୟତା ହାସଲ ନକରିପାରିବା। ସ୍କଟଲ୍ୟାଣ୍ଡ, ଜିମ୍ବାୱେ ଓ ନେଦରଲ୍ୟାଣ୍ଡ ଭଳି ଦଳଠାରୁ ହାରିବା ଦଳକୁ ମହଙ୍ଗା ପଡ଼ିଥିଲା। ଆଉ ୧୯୭୫ ପରେ ପ୍ରଥମଥର କୌଣସି ବିଶ୍ବକପରେ ଭାଗ ନେଇପାରିନଥିଲା ୱେଷ୍ଟଇଣ୍ଡିଜ୍। ଏବେବି ଦଳ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ସଂଘର୍ଷ ଜାରି ରଖିଛି।