କନକ ବ୍ୟୁରୋ:  ଯେଉଁମାନେ ଦିନେ ପଞ୍ଚାୟତବାସୀଙ୍କ କଥା ବୁଝୁଥିଲେ, ପଞ୍ଚାୟତ କାର୍ଯ୍ୟାଳୟରେ ଫାଇଲ ପତ୍ର କାମ କରୁଥିଲେ ହେଲେ ଆଜି ନିଜ ବାଡ଼ି ବଗିଚାରେ ଡହ ଡହ ଖରାରେ ମାଟି ତାଡୁଛନ୍ତି ଆଉ ରାତିରେ ବଜାରରେ ପରିବା ବିକୁଛନ୍ତି । ପଞ୍ଚାୟତବାସୀଙ୍କ ପେଟ କଥା ବୁଝୁଥିବା ଏମିତି ଦୁଇ ଜଣ ପଞ୍ଚାୟତ ଲୋକ ପ୍ରତିନିଧି ଅଛନ୍ତି ଯେଉଁମାନେ ଆଜି ନିଜ ପେଟ ପାଇଁ ଅନେକ ସଂଘର୍ଷ କରିବାକୁ ପଡୁଛି । ସ୍ତ୍ରୀ ସରପଞ୍ଚ ସ୍ୱାମୀ ସମିତି ସଭ୍ୟ ହେଲେ ଆଜି କ୍ଷମତା ଯିବା ପରେ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇ ପଡିଛନ୍ତି ।  

Advertisment

ନାଁ ହୃଷିକେଶ ଭୂୟାଁ ବୟସ ପାଖାପାଖି ୬୫ । ସ୍ତ୍ରୀ ସବିତା ଭୂୟାଁ ବୟସ ପାଖାପାଖି ୫୭  । ଉଭୟ ସ୍ୱାମୀ ସ୍ତ୍ରୀ ଜଣେ ଜଣେ ପଂଚାୟତ ଲୋକ ପ୍ରତିନିଧି ଥିଲେ। ରାଜନୀତି କରିବା ଲକ୍ଷ୍ୟ ନ ଥିଲେ ବି ପଞ୍ଚାୟତବାସୀଙ୍କ ଭଲ ପାଇବା ସେମାନଙ୍କୁ ରାଜନୀତିକୁ ଟାଣି ଆଣିଥିଲା   । ଆଉ  ପଞ୍ଚାୟତ ବାସୀଙ୍କ ଭଲ ପାଇବା ଯୋଗୁ ସ୍ୱାମୀ ସମିତି ସଭ୍ୟ ଓ ସ୍ତ୍ରୀ ସରପଞ୍ଚ ହୋଇ ପାରିଥିଲେ । ଖାଲି ସେତିକି ନୁହେଁ ସବିତା ସେବା ସମବାୟ ସମିତିରେ ବୋର୍ଡ ଡ଼ାଇରେକ୍ଟର ଭାବେ ନିର୍ବାଚିତ ହୋଇଥିଲା ବେଳେ ହୃଷିକେଶ ୧୦ ବର୍ଷ ଧରି SC - ST କାଷ୍ଟର ସଭାପତି ଥିଲେ ।

ହେଲେ ଆଜି ପଦପଦବୀ ଗଲା ପରେ ଉଭୟ ସ୍ୱାମୀ ସ୍ତ୍ରୀ ସମସ୍ତଙ୍କ ପାଇଁ ଅବହେଳିତ ହୋଇ ପଡିଛନ୍ତି । ପଞ୍ଚାୟତବାସୀଙ୍କ ପାଇଁ ଦିନ ରାତି ଏକ କରୁଥିବା ଏହି ସ୍ୱାମୀ ସ୍ତ୍ରୀ ନିଜ ପାଇଁ ଦିନ ରାତି ଏକ କରୁଛନ୍ତି । ଦିନରେ ଡହ ଦହ ଖରାରେ ସ୍ୱାମୀ ସ୍ତ୍ରୀ ନିଜ ଘର ବାଡ଼ିରେ ମାଟି ତାଡୁଛନ୍ତି । ଆଉ ସଞ୍ଜ ହେଲେ ସ୍ୱାମୀ ହୃଷିକେଶ  ପରିବା ନେଇ ବଜାରରେ ବିକ୍ରି କରନ୍ତି । ତେବେ ସେତେବେଳେ ରାଜନୀତି ଆଉ ଆଜିର ରାଜନୀତି ଅନେକ ଫରକ ବୋଲି ଉଭୟ ସ୍ୱାମୀ ସ୍ତ୍ରୀ କହିଛନ୍ତି ।  ହେଲେ ଆଜି ଟଙ୍କା ବାହୁବଳ ଓ ମିଛକୁ ନେଇ ନେତାମାନେ ରାଜନୀତି କରୁଛନ୍ତି । ସେବା ନାଁରେ ସରକାରୀ ଟଙ୍କା ହଡପ କରି କୋଟିପତି ହେଉଛନ୍ତି ହେଲେ ସେତେବେଳେ ସେବା ପାଇଁ ନିଜକୁ ସମର୍ପଣ କରିଦେଉଥିଲେ। ଯାହା ପାଇଁ ବିନା ଅର୍ଥରେ ନିର୍ବାଚନରେ ଲଢ଼ି ବିଜୟ ହେଉଥିଲେ ।
 
ସାଧାରଣ ଜୀବନ କାଟୁଥିବା ହୃଷିକେଶଙ୍କୁ ରାଜନୀତିରେ ଆସିବା ପାଇଁ ସୁଯୋଗ ସୃଷ୍ଟି କରେ ଏଗ୍ରିଇଣ୍ଡୋଷ୍ଟ୍ରି ନାମକ ଏକ ସଂସ୍ଥା । ଯେଉଁଥିରେ ଭୋଗରାଇ ବ୍ଲକରେ SC- ST ଗାଁ ଗୁଡିକରେ ଚାଷ ଜମିରେ କିପରି ପାଣି ପହଂଚିବ ସେନେଇ ସରକାର ପକ୍ଷରୁ ୩୪୨ ବୋରୱେଲ ପୋତିବାର ଦାୟିତ୍ୱ ନେଇ ସଫଳତାର ସହ ଲୋକଙ୍କର ପ୍ରିୟ ଭାଜନ ହୁଅନ୍ତି ହୃଷିକେଶ । ଆଉ ଏହାକୁ ମାଧ୍ୟମ କରି ୧୯୯୧ ରେ ରାଜନୀତିରେ ପାଦ ଥାପି   ପଞ୍ଚାୟତ ନିର୍ବାଚନରେ  ସମିତି ସଭ୍ୟ ଭାବେ ୭ ଖଣ୍ଡ ଭୋଟରେ ବିଜୟ ହୋଇ ୫ ବର୍ଷ ପାଇଁ  ଲୋକଙ୍କ ସେବା କରନ୍ତି। ପୁଣି ୧୯୯୫ ରେ ପଂଚାୟତ ନିର୍ବାଚନରେ ସ୍ତ୍ରୀ ସବିତାଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଇ ତାଙ୍କୁ ମଧ୍ୟ ବିଜୟ କରାନ୍ତି  ।  

ପୁଣି ନିଜେ ୨୦୦୦ ମସିହାରେ ପଂଚାୟତ ସମିତି ଡେଭ୍ଲୋମେଣ୍ଟ କମିଟିରେ ମେମ୍ବର ଭାବେ ୫ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ଖାଲି ସେତିକି ନୁହେଁ ପୁଣି ୨୦୦୧ ରେ ସବିତାଙ୍କୁ ନିମାତପୁର ସେବା ସମବାୟ ସମିତିରେ ଡ଼ାଇରେକ୍ଟର ଭାବେ ନିର୍ବାଚିତ କରାନ୍ତି । ଆଉ ଏହା  ଉଭୟ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ରାଜନୀତିର ଶେଷ ସମୟ ଥିଲା । ଏହା ପର ଠୁ ଉଭୟ ରାଜନୀତିରୁ ଦୁରେଇ ଯାଇ ପୁଣି ସାଧାରଣ ମଣିଷ ଭାବେ ଜୀବନ କାଟିବା ଆରମ୍ଭ କରିଥିଲେ। ଦୀର୍ଘ ୩୦ ବର୍ଷ ଧରି ରାଜନୀତିରେ ସକ୍ରିୟ ଥିବା ସ୍ୱାମୀ ସ୍ତ୍ରୀ ଏବେ ଜୀବନ କାଟିବା ପାଇଁ ସଂଘର୍ଷ କରିବାକୁ ପଡୁଛି । ତେବେ ସ୍ୱାଭିମାନ ଓ ସରଳ ଭାବ ମୂର୍ତ୍ତିକୁ ନେଇ ରାଜନୀତି କରୁଥିବା ସ୍ୱାମୀ ସ୍ତ୍ରୀଙ୍କୁ ଟଙ୍କା ଓ ଅର୍ଥ ବଳର ରାଜୀନୀତି ସବୁଦିନ ପାଇଁ ତଳି ତଳାନ୍ତ କରିଦେଇଥିଲା । ଆଉ ଆଜି ଉଭୟ ଜୀବନ କାଟିବା ପାଇଁ ମାଟିରେ ମାଟି ହୋଇ ସଂଘର୍ଷ କରୁଛନ୍ତି ।