ଶୁଖିଯାଉଛି ଚିତ୍ରୋତ୍ପଳା: ଚିନ୍ତାରେ ନଈକୂଳିଆ ଲୋକେ, ପଡ଼ିଆ ପଡୁଛି ଚାଷଜମି

କଟକ ନିଶ୍ଚିନ୍ତକୋଇଲିରେ ମୃତ୍ୟୁଶଜ୍ୟାରେ ଚିତ୍ରୋତ୍ପଳା । ପାଣିର ସ୍ଥାନ ଖାଲି ବାଲି ଆଉ ବାଲି । ପାଣି ପାଇଁ ଚିନ୍ତାରେ ଚାଷୀ । ନଦୀର ସୁରକ୍ଷା ଦିଗରେ ଗୁରୁତ୍ବ ଦେବାକୁ ଦାବି ।   

Nai Marigala

କନକ ବ୍ୟୁରୋ: କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ ।  ଅତୀତରେ କଳକଳ ନାଦରେ ବହିଯାଉଥିବା ଚିତ୍ରୋତ୍ପଳା ଆଜି ମୃତ ପ୍ରାୟ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ପାଣିର ସ୍ଥାନ ନେଇଛି ବାଲି । ନଈକୂଳିଆ ବାସିନ୍ଦା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଚାଷ ବି ବାଧା ପ୍ରାପ୍ତ ହେଉଛି । ନଦୀର ସୁରକ୍ଷା ଦିଗରେ ଗୁରୁତ୍ବ ଦେବାକୁ ଦାବି ହୋଇଛି ।

ମରୁଭୂମି ଭଳି ଦେଖାଯାଉଛି ଚିତ୍ରୋତ୍ପଳା । ବର୍ଷାକୁ ଦୁଇ ଚାରି ମାସ ଛାଡ଼ିଦେଲେ ବାକି ସବୁଦିନ ଶୁଖିଲା ପଡ଼ୁଛି ନଦୀ । ନା ଚାଷ ହୋଇପାରୁଛି ନା ଗାଧୁଆପାଧୁଆ । ଗାଈଗୋରୁ ବି ପାଣି ମୁନ୍ଦାଏ ପାଉନାହାନ୍ତି । ମୁହାଣ ଉଚ୍ଚ ହେବାରୁ ଚିତ୍ରୋତ୍ପଳା ନଦୀର ଜଳ ଲୁଣା ନଦୀରେ ପ୍ରବାହିତ ହେଉଛି । ବର୍ଷକୁ ବର୍ଷ ଜଳକର ଦେଉଥିବା ଚାଷୀ ପାଣି ଅଭାବରୁ ଆଉ ଚାଷ କରିପାରୁନଥିବା ଅଭିଯୋଗ କରିଛନ୍ତି ।


କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ବରପଡା ତିନିମୁହାଣୀ ଦେଇ ଯାଇଥିବା ଚିତ୍ରୋପଳା ନଦୀ ଉପରେ ହଜାର ହଜାର ଲୋକ ନିର୍ଭରଶୀଳ । ହେଲେ ନଦୀ ଶୁଖିଯିବାରୁ ଭୂତଳ ଜଳସ୍ତର ତଳକୁ ତଳ ଖସୁଛି । ଯଦି ମୁହାଣରେ ଡ୍ୟାମ୍‌ କରାଯାଆନ୍ତା ତା'ହେଲେ ଜଳକଷ୍ଟରୁ ମୁକ୍ତି ମିଳନ୍ତା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ଚିତ୍ରୋତ୍ପଳା ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗକୁ ସ୍ଥିତି ଭୟଙ୍କର ହେବା ଏକ ପ୍ରକାର ନିଶ୍ଚିନ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe