କନକ ବ୍ୟୁରୋ : ପଞ୍ଜିକାର ତିଥି, ବାର, ଯାତ୍ରା, ଶୁଭ ତଥା ଅଶୁଭ ବେଳାକୁ ମାନି ସାଧାରଣ ଲୋକ ପୂଜାପାଠ କରିଥା’ନ୍ତି । ଏବେ କୁମାର ପୂର୍ଣ୍ଣିମା ପାଳନକୁ ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଛି । ବିଭିନ୍ନ ପାଞ୍ଜି ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ଭିନ୍ନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ ଦେଖାଦେଇଛି । କିଛି ପଞ୍ଜିକାରେ କୁମାର ପୂର୍ଣ୍ଣିମା ଅକ୍ଟୋବର ୬ ତାରିଖ ଲେଖା ରହିଛି । କ୍ୟାଲେଣ୍ଡର ଓ ଆଉ କିଛି ପଞ୍ଜିକାରେ କୁମାର ପୂର୍ଣ୍ଣିମା ଅକ୍ଟୋବର ୭ ତାରିଖ ଲେଖା ଅଛି । ଶ୍ରୀମନ୍ଦିରରେ ୭ ତାରିଖରେ କୁମାର ପୂର୍ଣ୍ଣିମା ପାଳନ ହେଉଛି । ତେବେ ଜ୍ୟୋତିର୍ବିତମାନଙ୍କ ମତରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ୬ ତାରିଖରେ ଗଜଲକ୍ଷ୍ମୀ ପୂଜା କରାଯିବ । ଏହାର ପର ତାରିଖରେ ପାଳନ ହେବ କୁମାର ପୂର୍ଣ୍ଣିମା ବ୍ରତ । 
 
ଶ୍ରୀମନ୍ଦିର ପରମ୍ପରା ଓ ସଂସ୍କୃତିରେ ସମସ୍ତ ନୀତିକାନ୍ତି ମୁକ୍ତିମଣ୍ଡପ ଦ୍ୱାରା ସ୍ଥିରୀକୃତ ହୋଇଥାଏ । ଏପରିକି ପର୍ବପର୍ବାଣିରେ ବିଶେଷ ନୀତିକାନ୍ତି ସବୁ ଛତିଶା ନିଯୋଗରେ ଆଲୋଚନା କରାଯାଇ ସ୍ଥିରୀକୃତ କରାଯାଇଥାଏ । ଭିନ୍ନ ଭିନ୍ନ ପଞ୍ଜିକା ଦ୍ୱାରା ନିର୍ଦ୍ଧାରଣ ହୋଇଥିବା ସମୟରେ ପୂର୍ବରୁ ଅନେକ ତାରତମ୍ୟ ଦେଖାଯାଇଥିବାରୁ ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେଉଛି । ୭ ତାରିଖ ଦିନ ସରକାରୀ ଛୁଟି ରହିଥିବାରୁ ମଧ୍ୟ ଅନେକ ଦ୍ଵନ୍ଦ୍ବ ରହିଛି । ବିଭିନ୍ନ ପର୍ବପର୍ବାଣୀ ପାଳନ ନେଇ ପାଞ୍ଜିରେ ଭିନ୍ନ ଭିନ୍ନ ମତ ରହୁଥିବାରୁ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହୁଛି । ତେଣୁ ଏ ବାବଦରେ ଖୁବଶୀଘ୍ର ଶ୍ରୀମନ୍ଦିର ମୁକ୍ତିମଣ୍ଡପ ନିଷ୍ପତ୍ତି ନେବାକୁ ବିଭିନ୍ନ ମହଲରେ ଦାବି ଉଠୁଛି । 
 

Advertisment