କନକ ବ୍ୟୁରୋ : ଭାରତ ଓ ଆମେରିକା ମଧ୍ୟରେ ଟାରଫ୍ ୱାର ଜାରି ରହିଥିବା ବେଳେ ଏବେ ଭାରତୀୟ ସେନା ଆମେରିକାକୁ ଟାର୍ଗେଟ୍ କରିଛି । ୧୯୭୧ ମସିହାର ଏକ ପୁରୁଣା ଖବରକାଗଜ କ୍ଲିପ ସେୟାର କରି ଭାରତୀୟ ସେନା ମଙ୍ଗଳବାର ଦିନ ଆମେରିକାକୁ କଡ଼ା ସମାଲୋଚନା କରିଛି । ଏହି ଖବର କାଗଜ କ୍ଲିପରେ ଉଲ୍ଲେଖ ରହିଛି କି ଅନେକ ଦଶନ୍ଧି ଧରି ଆମେରିକା ପାକିସ୍ତାନକୁ ସମର୍ଥନ କରିଆସୁଛି ।
ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ଦ୍ୱାରା ସେୟାର କରାଯାଇଥିବା ଏକ କ୍ଲିପ୍ ହେଉଛି ୧୯୭୧ ମସିହା ଅଗଷ୍ଟ ୫ ତାରିଖର । ଏଥିରେ ଆମେରିକା କିଭଳି ଭାବେ ପାକିସ୍ତାନକୁ ଦଶନ୍ଧି ଦଶନ୍ଧି ଧରି ଅସ୍ତ୍ରଶସ୍ତ୍ର ଯୋଗାଉଥିଲା ତାହା ଉଲ୍ଲେଖ ରହିଛି । ଫଳରେ ୧୯୭୧ ଯୁଦ୍ଧରେ ଆମେରିକାର ଅସ୍ତ୍ରଶସ୍ତ୍ର ପାକିସ୍ତାନର ସାହସ ବଢାଇଥିଲା ତାହା ମଧ୍ୟ ଉଲ୍ଲେଖ ରହିଛି । ବାଂଲାଦେଶରେ ଇସଲାମାବାଦର ସଶସ୍ତ୍ର ଆକ୍ରମଣ ପରିପେକ୍ଷୀରେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ନାଟୋ ଶକ୍ତି ଓ ସୋଭିଏତ ୟୁନିୟନ ସହ କିପରି ଯୋଗାଯୋଗ କରାଯାଇଥିଲା ସେ ବାବଦରେ ତକ୍ରାଳୀନ ପ୍ରତିରକ୍ଷାମନ୍ତ୍ରୀ ଭିସି ଶୁକ୍ଳା ରାଜ୍ୟସଭାରେ କହିଥିଲେ । ସୋଭିଏତ ୟୁନିୟନ ଓ ଫ୍ରାନ୍ସ ସରକାର ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ମନା କରିଥିବା ବେଳେ ଆମେରିକା ଏହାକୁ ସମର୍ଥନ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
ଏହି ରିପୋର୍ଟରେ ଆହୁରି କୁହାଯାଇଛି କି, ଆମେରିକା ଓ ଚୀନ ପାକିସ୍ତାନକୁ କମ୍ ଦାମରେ ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲେ । ଏହା ପରେ ବି ପାକିସ୍ତାନ ଭାରତ ସହ ହୋଇଥିବା ଯୁଦ୍ଧରେ ପରାଜିତ ହୋଇଥିଲା । ଏହି କ୍ରମରେ ଆଜି ବି ଆମେରିକା କମ୍ ଶ୍ଳୁକରେ ପାକିସ୍ତାନକୁ ସାହାଯ୍ୟ କରୁଛି ।
ଅଗଷ୍ଟ ପହିଲାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲରେ ସ୍ୱାକ୍ଷର କରିଥିଲେ । ଯେଉଁଥିରେ ୧୨ ରୁ ଅଧିକ ଦେଶ ଉପରେ ସର୍ବାଧିକ ଶ୍ଳୁକ ଲାଗୁ କରାଯାଇଥିଲା । ହେଲେ ଏହି କ୍ରମରେ ପାକିସ୍ତାନ ଉପରେ ଆମେରିକା ତା'ର ୨୯ ପ୍ରତିଶତ ଶ୍ଳୁକକୁ ହ୍ରାସ କରି ୧୯ ପ୍ରତିଶତ କରିଛନ୍ତି ।
ଏହାକୁ ନେଇ ଭାରତ କହିଛି କି, ଆମେରିକା ନିଜେ ଋଷ ସହ ବାଣିଜ୍ୟ ଜାରି ରଖିଥିବା ବେଳେ ଭାରତକୁ ଋଷୀୟ ତୈଳ କ୍ରୟ ନେଇ ପାରସ୍ପରିକ ଶ୍ଳୁକ ବୃଦ୍ଧି କରିବାକୁ ଧମକ ଦେଉଛନ୍ତି । ସୋମବାର ରିପବ୍ଲିକାନ ନେତା ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି । ଏଥିରେ ସେ କହିଛନ୍ତି କି, ଆମେରିକାରୁ ଭାରତ ଆସୁଥିବା ବିଭିନ୍ନ ସାମଗ୍ରୀ ଉପରେ ଯଥେଷ୍ଟ ଶ୍ଳୁକ ଲାଗୁ କରିବେ । ଯାହା ପୂର୍ବରୁ ଲାଗୁ କରାଯାଇଥିବା ୨୫ ପ୍ରତିଶତ ଶ୍ଳୁକରୁ ଅଧିକ ।