କନକ ବ୍ୟୁରୋ: ଚାଲିଥିଲା ୧୯୮୩ ମସିହା ଦିନିକିଆ କ୍ରିକେଟ ବିଶ୍ୱକପ୍ । ୧୮ ଜୁନରେ ଭାରତ ଏବଂ ଜିମ୍ବାୱେ ଗ୍ରୁପ୍ 'ବି' ମ୍ୟାଚରେ ମୁହାଁମୁହିଁ ହୋଇଥିଲେ । ୧୯୮୩ ମସିହାରେ ଆଜିର ଦିନ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆର ଅଧିନାୟକ କପିଳ ଦେବ ୧୭୫ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ । ଏହି ବିଶ୍ୱକପରେ ଭାରତୀୟ ଦଳ ଭଲ ଫର୍ମରେ ଦେଖାଯାଉଥିଲା, କିନ୍ତୁ ଜିମ୍ବାୱେ ବିପକ୍ଷରେ ଟିମ୍ ଇଣ୍ଡିଆର ଟପ୍ ଅର୍ଡର ଧ୍ୱଂସ ହୋଇଗଲା, ଲାଗୁଥିଲା ଯେପରି ଏହା ଏକ ନବାଗତ ଦଳ । କିନ୍ତୁ କପିଳ ଦେବ ଦଳର ସମ୍ମାନ ରକ୍ଷା କରିଥିଲେ ଏବଂ ଏହି ମ୍ୟାଚରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ ।
୧୭ ରନରେ ୫ଟି ୱିକେଟ ପଡ଼ିଗଲା
ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା, କିନ୍ତୁ ସୁନୀଲ ଗାଭାସ୍କର ଶୂନ ରନ କରି ଆଉଟ୍ ହୋଇଥିଲେ । ତାଙ୍କ ସାଥୀ ଖେଳାଳି ଶ୍ରୀକାନ୍ତ ବି ୧୩ ବଲ୍ ଖେଳିଥିଲେ ଆଉ ଜିରୋ ସ୍କୋରରେ ଆଉଟ୍ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଟିମ୍ ଇଣ୍ଡିଆ ପ୍ରଥମ ୯ ରନ୍ ମଧ୍ୟରେ ୪ ୱିକେଟ୍ ହରାଇଥିଲା । ମହିନ୍ଦର ଅମରନାଥ ଏବଂ ସନ୍ଦୀପ ପାଟିଲ୍ ଯଥାକ୍ରମେ ୫ ରନ୍ ଏବଂ ୧ ରନ୍ ଯୋଗଦାନ ଦେଇପାରିଥିଲେ । କପିଲ ଦେବ ଷଷ୍ଠ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଯଶପାଲ ଶର୍ମାଙ୍କ ସହିତ ତାଙ୍କର ଭଲ ପାର୍ଟନରସିପ ହୋଇଥିଲା । ଆଉ ପରେ ଯଶପାଲ ଶର୍ମା ମଧ୍ୟ ୯ ରନ୍ କରିବା ପରେ ଆଉଟ୍ ହୋଇଥିଲେ । ଭାରତ ୧୭ ରନରେ ୫ ୱିକେଟ୍ ହରାଇଥିଲା ।
କପିଳ ଦେବଙ୍କ ୧୭୫ ରନର ଅପରାଜିତ ଇନିଂସ
୧୭ ରନରେ ୫ ୱିକେଟ ହରାଇବା ପରେ, ଅଧିନାୟକ କପିଳ ଦେବ ଗୋଟିଏ ପଟେ ଛିଡା ହୋଇ ଟିମକୁ ସମ୍ଭାଳିଥିଲେ । ଅନ୍ୟ ପଟରେ, ରୋଜର ବିନ୍ନି ବହୁତ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ । କପିଳ ଦେବ ଜିମ୍ୱାଓ୍ୱେ ବୋଲରମାନଙ୍କୁ ନିସ୍ତୁକ ମାଡ଼ ମାରିବା ଆରମ୍ଭ କଲେ । ସେ ୧୩୮ ବଲରେ ଅପରାଜିତ ୧୭୫ ରନ୍ କରିଥିଲେ । ଏହି ସମୟରେ, ସେ ୧୬ ଚୌକା ଏବଂ ୬ଟି ବିଶାଳ ଛକା ମଧ୍ୟ ମାରିଥିଲେ । ଏହି ସମୟରେ, କପିଳ ରୋଜର ବିନ୍ନିଙ୍କ ସହିତ ୬୦ ରନ୍ ଏବଂ ମଦନ ଲାଲଙ୍କ ସହିତ ୬୨ ରନର ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ କରିଥିଲେ ।
ଭାରତ ବିଶ୍ୱ ବିଜେତା ହେଲା
ଏହି ମ୍ୟାଚ୍ରେ ଭାରତ ଜିମ୍ବାୱେକୁ ୩୧ ରନ୍ରେ ପରାସ୍ତ କରିଥିଲା । ଗ୍ରୁପ୍ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବା ପରେ, ଭାରତୀୟ ଦଳ ସେମିଫାଇନାଲ୍ରେ ପହଞ୍ଚିଥିଲା । ସେମିଫାଇନାଲ୍ ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ ୬ ୱିକେଟ୍ରେ ପରାସ୍ତ କରିଥିଲା ଏବଂ ତା’ପରେ ଫାଇନାଲ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍କୁ ୪୩ ରନ୍ରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେବାର ସଫଳତା ହାସଲ କରିଥିଲା ।