କନକ ବ୍ୟୁରୋ : ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିନି ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ।  ଆଇନଶୃଙ୍ଖଳାକୁ ନେଇ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିବାବେଳେ ବିଜେଡି ସଦସ୍ୟ ଧାନକିଣାରେ ଅବ୍ୟବସ୍ଥା ନେଇ ସରକାରଙ୍କୁ ଘେରିଥିଲେ । ହୋହଲ୍ଲା ଓ ନାରାବାଜି ଯୋଗୁଁ  କମ୍ପିଥିଲା ଗୃହ। ପ୍ରଶ୍ନକାଳ ଚାଲିପାରିନଥିଲା ।  ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ  ନାରାବାଜି କରି ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ । ସ୍ଥିତି ସ୍ବାଭାବିକ ନହେବାରୁ ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

Advertisment

ବିଧାନସଭାରେ ପ୍ରଥମାର୍ଦ୍ଧ ଧୋଇଯିବା ପରେ ଚାଷୀଙ୍କ ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଚାଷୀ ଓ ଚାଷ ପ୍ରସଙ୍ଗରେ ୧୦ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଛି । ବିଜେଡି ଅଭିଯୋଗ କରିଛି, ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏ ଯାଏଁ କ୍ଷତିପୂରଣ ମିଳିନାହିଁ । କ୍ଷୟକ୍ଷତି ଆକଳନ ହୋଇପାରିଲା ନାହିଁ । ମଣ୍ଡିରେ କଟନୀଛଟନି ନାଁରେ ଶୋଷଣ କରାଯାଉଛି । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ବିରୋଧୀ ଭୟଭୀତ ଓ ପଳାୟନପନ୍ଥୀ । କଟନିଛଟନି ନେଇ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲେ ବି ବିରୋଧୀ କାହିଁକି ଆଲୋଚନାକୁ ଆସୁନାହାନ୍ତି? ବୋଲି ସେ ପ୍ରଶ୍ନ କରିଛନ୍ତି ?

ଦିନ ୧୨ଟା ପରେ ବିଧାନସଭା ସ୍ବାଭାବିକ ହୋଇଛି । କିନ୍ତୁ ଦୁଇଦିନ ହେଲା ପ୍ରଶ୍ନକାଳ ଚାଲି ନପାରିବା ପାଇଁ ଦାୟୀ କିଏ ? ଲୋକଙ୍କ ସମସ୍ୟା କାହିଁକି ଉଠିପାରୁନାହିଁ? ତାର ଉତର ସବୁ ଦଳକୁ ଦେବାକୁ ପଡିବ ।