କନକ ବ୍ୟୁରୋ: ପୋଲିସ ଡିଜି ସମ୍ମିଳନୀର ଦ୍ୱିତୀୟ ଦିନରେ ଘଣ୍ଟା ଘଣ୍ଟା ଧରି ଜାତୀୟ ସୁରକ୍ଷାକୁ ନେଇ ହୋଇଛି ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ସାମିଲ ହେବା ସହ ଦେଶର ସୁରକ୍ଷାକୁ ନେଇ କଣ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ତାହାର ସମୀକ୍ଷା କରିଛନ୍ତି। 

Advertisment

ପୋଲିସ ଡିଜି ସମ୍ମିଳନୀର ଦ୍ୱିତୀୟ ଦିନରେ ଆଜି ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୮ଟା ୩୦ରୁ ଲୋକସେବା ଭବନରେ ଚାଲିଛି ଆଲୋଚନା । ଦେଶର ସୁରକ୍ଷାକୁ ନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ନିଜର ରୋଡମ୍ୟାପ ରଖିଛନ୍ତି। କେମିତି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରହିବ ତା ଉପରେ ଜୋର ଦିଆଯାଇଛି । ଏହାବାଦ୍ ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର, ମାଓ ମୁକାବିଲା, ତଟ ସୁରକ୍ଷା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଛି । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେବା ସହ କିଭଳି ଭାବେ ତ୍ୱରିତ୍ୱ ନ୍ୟାୟ ପ୍ରଦାନ କରାଯିବ ସେନେଇ ପୋଲିସ ମୁଖିଆଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଏହି ସମ୍ମିଳନୀରେ ଦେଶର ସୁରକ୍ଷାକୁ ନେଇ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି। ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମୁଖ୍ୟଙ୍କ ସହ ୱାନ୍-ଟୁ-ୱାନ ଆଲୋଚନା କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ସମ୍ମିଳନୀରେ, 

- ସୀମା ସୁରକ୍ଷାକୁ ନେଇ ହୋଇଛି ସିକ୍ରେଟ ଷ୍ଟ୍ରାଟେଜି
- ଆତଙ୍କବାଦୀଙ୍କୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ
- ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱ

୨ ଦିନ ଧରି ଜାତୀୟ ସୁରକ୍ଷାକୁ ନେଇ ରାଜ୍ୟ ରାଜଧାନୀରେ ମାନସ ମନ୍ଥନ ଚାଲିଛି। ଆସନ୍ତାକାଲି ପୋଲିସ ଡିଜି ସମ୍ମିଳନୀର ଅନ୍ତିମ ଦିନ। ଶେଷ ଦିନରେ ବି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଏନଏସଏ ଉପସ୍ଥିତ ରହି ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁଙ୍କୁ ନିପାତ କରିବାକୁ ଯେଉଁ ବ୍ୟୁହ ରଚାଯିବ ସେଥିରେ ମୋହର ମାରିବେ।