କନକ ବ୍ୟୁରୋ : ପିଙ୍କ ବଲର ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ମ୍ୟାଚରେ ଟିମ ଇଣ୍ଡିଆ ଆଣ୍ଠେଇଛି। ଆଡିଲେଡ ଓଭାଲରେ ଖେଳା ଯାଉଥିବା ପିଙ୍କ ବଲ ଟେଷ୍ଟରେ ଭାରତର ସ୍ଥିତି ଅତି ଦୟନୀୟ ହୋଇପଡ଼ିଛି।ପ୍ରଥମ ଇନିଂସରେ ମାତ୍ର ୧୮୦ ରନ କରିଥିବା ଭାରତ ଏବେ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ କେବଳ ୧୨୮ ରନ କରିପାରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଟ୍ରାଭିସ ହେଡଙ୍କ ୧୪୦ ରନ ବଳରେ ୩୩୭ ରନ କରିଥିଲା। ଫଳରେ ଘରୋଇ ଟିମକୁ ୧୫୭ ରନର ଲିଡ ମିଳିଥିଲା । ୧୫୭ ରନ ପଛରେ ଥିବା ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୨୮ ରନ କରିଛି। ଏବେ ଦଳ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୨୯ ରନ ପଛରେ ରହିଛି। ମ୍ୟାଚ୍‌ ଶେଷ ହେବାକୁ ଆହୁରି ୩ ଦିନ ବାକି ଥିବାରୁ ଭାରତ ଏବେ ପରାଜୟ ଏଡ଼ାଇବାକୁ ସଂଘର୍ଷ ଆରମ୍ଭ କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ଋଷଭ ପନ୍ତ ୨୫ ବଲରେ ୨୮ ଓ ନୀତୀଶ କୁମାର ରେଡ୍ଡୀ ୧୪ ବଲରେ ୧୫ ରନ କରି ଅପରାଜିତ ରହିଛନ୍ତି। ଏହି ଦୁଇ ଜଣଙ୍କ ଉପରେ ଏବେ ସବୁ କିଛି ନର୍ଭର କରୁଛି। କାରଣ ଏହାପରେ ଆଉ କୌଣସି ବ୍ୟାଟର ନାହାନ୍ତି। ଭାରତ ଆଜି ୨୪ ଓଭର ବ୍ୟାଟିଂ କରି ତା’ର ସମସ୍ତ ୫ ଟପ ଅର୍ଡର ବ୍ୟାଟରଙ୍କୁ ହରାଇ ଦେଇଛି।