କନକ ବ୍ୟୁରୋ: ୧୧ ମାସ ପାର କରି ୧୨ ମାସରେ ପାଦ ଦେଇଛି ମୋହନ ସରକାର । ଆସନ୍ତା ଜୁନ୍ ୧୨ ତାରିଖରେ ବିଜେପି ସରକାରକୁ ପୂରିବ ବର୍ଷେ । ବଡ଼ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର ଓ ସଙ୍ଗଠନ। ଗୋଟିଏ ପଟେ ବିଭାଗୱାରୀ ସମୀକ୍ଷା ଜରିଆରେ ବର୍ଷକର ରିପୋର୍ଟ କାର୍ଡ ପ୍ରସ୍ତୁତ ଚାଲିଛି। ସରକାରଙ୍କ ସଫଳତା ଓ ଉପଲବ୍ଧିକୁ ସିଧା ଗ୍ରାଉଣ୍ଡକୁ ନେଇ ଯିବେ ମନ୍ତ୍ରୀ । ଜୁନ୍ ୧୨ରୁ ୧୯ ଯାଏଁ ଚାଲିବ କାର୍ଯ୍ୟକ୍ରମ । ରାଜଧାନୀ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ସରକାରଙ୍କ ବର୍ଷ ପୂର୍ତ୍ତିର ହିସାବ କିତାବ ଦେବ ବିଜେପି । ରାଜ୍ୟସ୍ତରୀୟ ଭବ୍ୟ ସମାରୋହରେ ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରିମଣ୍ଡଳର ସଦସ୍ୟ । ରାଜସ୍ବ ମନ୍ତ୍ରୀ କହିଛନ୍ତି, ବର୍ଷକରେ ୨୧ ପ୍ରତିଶ୍ରୁତିରୁ ୧୧ ପ୍ରତିଶ୍ରୁତିକୁ ପୂରା କରିଛି ମୋହନ ସରକାର । ଅନ୍ୟପଟେ ବିଜେଡି କାଉଣ୍ଟର କରି କହିଛି, ବାର୍ଷିକ ପରୀକ୍ଷାରେ ଫେଲ୍‌ ହୋଇଛି ସରକାର ।
 
ବର୍ଷ ପୂର୍ତ୍ତି ପାଇଁ ବିଜେପି ଶିବିରରେ ଯେତିକି ଉତ୍ସାହ ତାହା ଠାରୁ ଅଧିକ କସରତ ଦେଖିବାକୁ ମିଳିଲାଣି ପାୱାର କରିଡରରେ । କାରଣ ବିଭାଗୱାରୀ ସମୀକ୍ଷା ଭିତରେ ମନ୍ତ୍ରୀମାନଙ୍କର ବାର୍ଷିକ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ । କାହାର ପ୍ରଦର୍ଶନ ଭଲ ରହିଛି ଏବଂ କିଏ ମିଳିଥିବା ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇଛି ? ଯାହାକୁ ଆଧାର କରି ରଜ ପରେ ମୁଖ୍ୟମନ୍ତ୍ରୀ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସିଧାସିଧା କହିବାକୁ ଗଲେ, ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ କିଛି ମନ୍ତ୍ରୀଙ୍କର ବିଭାଗ ପରିବର୍ତ୍ତନ କରିପାରନ୍ତି ମୋହନ । ବର୍ଷକ ଭିତରେ ଅଧା ପ୍ରତିଶ୍ରୁତି ପୂରା କରିଥିବା ଦାବି କରୁଛନ୍ତି ସରକାର। କିନ୍ତୁ ଏବେ ବି ଅନେକ ନିର୍ବାଚନୀ ପ୍ରତିଶ୍ରୁତି ବାକି ରହିଛି ଯାହାକୁ ପୂରା କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।