କନକ ବ୍ୟୁରୋ : ଦ୍ୱାଦଶଥର ପାଇଁ ଦିଲ୍ଲୀ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡ଼ାଇ, ରେକର୍ଡ ୧୦୩ ମିନିଟର ଭାଷଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନା ସିନ୍ଧୁର ପାଣି ମିଳିବ, ନା ମୁନିରଙ୍କ ଧମକ ଚଳିବ। ଦେଶବାସୀଙ୍କୁ ସମ୍ୱୋଧନ କରି ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ଦେଇଛନ୍ତି ଖୋଲା ଚେତାବନୀ । ଆମେରିକାର ନାଲିଆଖିକୁ ଖାତିର ନାହିଁ, ଦେଶର ଚାଷୀଙ୍କ ସ୍ୱାର୍ଥ ରକ୍ଷା ତାଙ୍କ ପାଇଁ ପ୍ରାଥମିକତା ବୋଲି ସ୍ପଷ୍ଟ କରିଦେଇଛନ୍ତି । ଭାରତୀୟଙ୍କୁ ସୁରକ୍ଷା କବଚ, ରୋଜଗାର ଓ ଭୌଗୋଳିକ ସନ୍ତୁଳନର ପ୍ରତିଶ୍ରୁତି ସହ ଦୀପାବଳିରେ ବଡ଼ ଭେଟିର ସଂକେତ ଦେଇଛନ୍ତି ମୋଦୀ ।  

Advertisment

 ଅପରେସନ୍ ସିନ୍ଦୂରର ସଫଳତା ଓ ଭାରତୀୟ ଯବାନଙ୍କ ସାହସିକତାରୁ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ପାଇଁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ସରକାର । ଆଉ ଭାରତୀୟ ସେନା ପାକିସ୍ତାନର ନିଦ ହଜାଇ ଦେଲା । ନୂଆ ଭାରତରେ ସଇତାନ ପାକିସ୍ତାନର ପରମାଣୁ ଧମକ ଚଳିବ ନାହିଁ ବୋଲି ସିଧା ସିଧା କହିଦେଇଛନ୍ତି ମୋଦୀ। ସେହିପରି ଆମେରିକାର ଟାରିଫ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଚାଷୀଙ୍କ ସ୍ୱାର୍ଥ ସହ ସାଲିସ କରାଯିବ ନାହିଁ ବୋଲି କହିଛନ୍ତି । 

ନୂଆ ଭାରତ ଶତ୍ରୁକୁ ଶିକ୍ଷା ଦେବା ଜାଣିଛି, ନିଜର ସୁରକ୍ଷା ପାଇଁ ବି ସତର୍କ ଅଛି । ଭଗବାନ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରରୁ ପ୍ରେରଣା ନେଇ, ଆଗାମୀ ୨୦୩୫ ସୁଦ୍ଧା ‘ସୁଦର୍ଶନ ଚକ୍ର ଆଇରନ୍ ଡୋମ୍‌’ ନିର୍ମାଣ ନେଇ ଘୋଷଣା କରିଛନ୍ତି ମୋଦୀ । ବେକାର ଯୁବକ, ଯୁବତୀଙ୍କ ପାଇଁ ଭାରତ ରୋଜଗାର ଯୋଜନା ଘୋଷଣା ହୋଇଛି । ଫଳରେ ପ୍ରାୟ ସାଢ଼େ ୩ କୋଟି ଯୁବବର୍ଗଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ। ଘରୋଇ କ୍ଷେତ୍ରରେ ପ୍ରଥମ ନିଯୁକ୍ତିରେ ୧୫ ହଜାର ଟଙ୍କା ଦେବେ ସରକାର । ଅନୁପ୍ରବେଶକାରୀଙ୍କୁ ଦେଶ ପାଇଁ ସଂକଟ ବୋଲି କହିବା ସହ ଭୌଗୋଳିକ ସମାନତା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ। 

 ୭୯ ତମ ସ୍ୱାଧୀନତା ଦିବସରେ ଦେଶର ବ୍ୟବସାୟୀ ଗୋଷ୍ଠୀଙ୍କୁ ଆଶ୍ୱସ୍ତ କରିଛନ୍ତି ମୋଦୀ । ଦୀପାବଳିରେ ବଡ଼ ଭେଟି ନେଇ ଦେଇଛନ୍ତି ସଂକେତ । ୨୦୧୭ରୁ ଲାଗୁ ହୋଇଥିବା ଗୁଡ୍ସ ଆଣ୍ଡ ସର୍ଭିସେସ ଟାକ୍ସ- ଜିଏସଟି ସରଳୀକରଣ ନେଇ ସରକାର ବିଚାର କରୁଛନ୍ତି । ଟାକ୍ସ ସ୍ଲାବକୁ ମଧ୍ୟ କମ୍ କରିପାରନ୍ତି ସରକାର। 

ଭାରତରେ ସେମିକଣ୍ଡକ୍ଟର ପ୍ରସ୍ତୁତି ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବ । ଆଗାମୀ ୨୦ ବର୍ଷରେ ଦେଶର ପରମାଣୁ ଶକ୍ତି କ୍ଷମତା ୧୦ ଗୁଣା ବୃଦ୍ଧି ପାଇବ । ଦେଶର ହିତରେ ସାଲିସ ନକରି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରାଯିବ । ଏଥିପାଇଁ ସ୍ୱଦେଶୀ ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ବୈଜ୍ଞାନିକ ଓ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।