କନକ ବ୍ୟୁରୋ : ଏବେ ମାଲକାନଗିରି ଜିଲ୍ଲାରେ ପ୍ରଚୁର ପରିମାଣର ତାଳ ମିଳୁଛି । ପ୍ରତିଦିନ ମାଲକାନଗିରି ପାଖଆଖ ଗାଁରୁ ଆଦିବାସୀମାନେ ବସ୍ତାବସ୍ତା ତାଳ ବଜାରୁକୁ ଆଣୁଛନ୍ତି । ତାଳରୁ ତାଳସଜ ବାହାର କରି ବିକ୍ରି କରାଯାଉଛି । ତାଳସଜରେ ଅଧିକ ଜଳୀୟ ଅଂଶ ଥିବାରୁ ଖରାଦିନ ଏହା ଖାଇବା ଶରୀର ପାଇଁ ହିତକର । ଆଉ ପାଟିକୁ ମଧ୍ୟ ସୁଆଦିଆ ହୋଇଥିବାରୁ ଗ୍ରାହକଙ୍କ ଭିଡ଼ ଜମୁଛି । ୬ଟି ତାଳସଜ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଲୋକ ଏହା ଖାଇବା ସହ ପିଲାଛୁଆଙ୍କ ପାଇଁ ମଧ୍ୟ ଘରକୁ ନେଇଯାଉଛନ୍ତି ।
ମାଲକାନଗିରି ଜିଲ୍ଲା ତୁମସାପାଲି ଗାଁର ମଙ୍ଗଳା ସୋଢ଼ି । ଗାଁରେ ତାଙ୍କର ୧୦୦ରୁ ଅଧିକ ତାଳଗଛ ଅଛି । ସେ ଏବେ ତାଳ ଆଣି ଡିଏନକେ ବଜାରରେ ବିକି ଦିନକୁ ୫୦୦ରୁ ୧୨୦୦ ଟଙ୍କା ରୋଜଗାର କରୁଛନ୍ତି । ମଙ୍ଗଳାଙ୍କ ପରି ତାମସା, ପିଟାଗେଟା, ବୟଲାପାଲି ଏବଂ ପାଖଆଖ ଗାଁର ଶତାଧିକ ଯୁବକ ତାଳସଜ ବିକ୍ରି କରି ପରିବାର ଚଳାଉଛନ୍ତି । ଘର ଚଳାଇବା ପାଇଁ ଆଉ ଆଗ ପରି ଦାଦନ ଯିବାକୁ ପଡୁନାହିଁ । ତାଳଗଛ ସବୁ ଖର୍ଚ୍ଚ ସମ୍ଭାଳି ନେଉଛି ।
ତାଳଗଛକୁ ବର୍ଷ ତମାମ୍ ବ୍ୟବହାର କରନ୍ତି ଜନଜାତି ମଣିଷ । ତାଳସଜ ସହ ପାଚିଲା ତାଳର ମଧ୍ୟ ଚାହିଦା ରହିଛି । ଏହାଛଡ଼ା ତାଳରସକୁ ଲୋକ ମୃଦୁ ପାନୀୟ ଭାବେ ବ୍ୟବହାର କରାଯାଏ । । ତାଳଗୁଡ଼ ମଧ୍ୟ ଭଲ ବିକ୍ରି ହେଉଛି । ଏଥିସହ କାଠ ପରି ତାଳଗଛ ଗଣ୍ଡିରେ ଘର ନିର୍ମାଣ ଓ ତାଳ ବରଡ଼ାରେ ଘର ଛପର କରାଯାଏ । ଏସବୁରୁ ମଧ୍ୟ ଭଲ ପଇସା ମିଳେ। ବଜ୍ରପାତ ରୋକିବାରେ ତାଳଗଛର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବାରୁ ତାଳଗଛକୁ ସରଳ ବନବାସୀ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିଛନ୍ତି ।