କନକ ବ୍ୟୁରୋ : ରାଜନୀତିରେ ଆଶା କରାଯାଉନଥିବା କଥା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳେ । ଆଉ ସବୁବେଳେ ଏହି କଥା କେବଳ ନିର୍ବାଚନୀ ବୈତରଣୀ ପାରି ହେବାକୁ ଥିବା ବେଳେ ଦେଖିବାକୁ ମିଳିଥାଏ । ଓଡ଼ିଶା ରାଜନୀତିରେ ୨୦୦୦ ମସିହାରୁ ପରମ ଶତ୍ରୁ ଭାବେ ବିବେଚିତ ହେଉଥିବା ବିଜେଡି ଓ କଂଗ୍ରେସ ସର୍ମ୍ପକର ପରିଭାଷା ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି । ସାପ ଓ ନେଉଳର ସମ୍ପର୍କ ନେଇ ଓଡ଼ିଶା ରାଜନୀତିରେ ଦୀର୍ଘ ୨୦ ବର୍ଷ ହେବ ଆଗକୁ ବଢ଼ୁଥିବା ବିଜେଡି ଓ କଂଗ୍ରେସ ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । କେବଳ ନେତା କି କର୍ମୀ ଏକାଠି ହୋଇନାହାଁନ୍ତି ବରଂ ଦୁଇ ଦଳର ମୁଖିଆ ଗୋଟିଏ ମଞ୍ଚ ଓ ପାଖାପାଖି ଚେୟାରରେ ବସିଥିବାର ଦେଖିବା ପରେ ଓଡ଼ିଶା ରାଜନୀତିର ସମୀକରଣ ଆଗାମୀ ଦିନରେ କିଛି ରୋଚକ ହେବାକୁ ଯାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପାଠକ ବନ୍ଧୁ ଆମେ କହୁଛୁ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ସମୟର ଦୃଶ୍ୟ । ବିଧାନସଭା ପରିସରରେ ଚାଲିଥିଲା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ । ଗୋଟିଏ ଧାଡ଼ିରେ ବସିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ନବୀନ ମଝିରେ ବସିଥିବା ବେଳେ ତାଙ୍କ ବାମ ପଟକୁ ଭକ୍ତ ଦାସ ଓ ଡାହାଣ ପଟେ ରାମଚନ୍ଦ୍ର କାଡ଼ାମ । କେବଳ ଏହିମାନେ ନୁହଁନ୍ତି ଏହି ଧାଡିରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବିଜେଡି କଂଗ୍ରେସ ଓ ବାମଦଳ ସମର୍ଥନରେ କମନ୍ ପ୍ରାର୍ଥୀ ହୋଇଥିବା ଦତ୍ତେଶ୍ୱର ହୋତାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ: ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ , ଦତ୍ତେଶ୍ବର
ପାଠକ ବନ୍ଧୁ ରାଜନୀତିରେ ଆଦର୍ଶଗତ ବିଭେଦ ଥାଇପାରେ, ବିଚାରଗତ ବିଭେଦ ଥାଇପାରେ କିନ୍ତୁ ଏହା ସ୍ପଷ୍ଟ ଯେ ରାଜନୀତିରେ କ୍ଷମତା ହାସଲ କରିବାକୁ କିଛି କ୍ଷଣ ପାଇଁ ହେଉ ବି ବିଚାରଗତ ବିଭେଦ, ଆଦର୍ଶଗତ ମତପାର୍ଥକ୍ୟ ସବୁ ଅଦୃଶ୍ୟ ଶକ୍ତି ଭଳି ମିଳେଇ ଯାଇଥାଏ । ଏଠି କଥା ଉଠୁଛି କଂଗ୍ରେସ-ବିଜେଡିର ଏହି ସୌହାଦ୍ୟପୂର୍ଣ୍ଣ ସମ୍ପର୍କ ଯଦି ଆଗାମୀ ଦିନରେ ବଳବତ୍ତର ରହେ ତେବେ ଓଡ଼ିଶା ରାଜନୀତିରେ ବହୁତ କିଛି ପରିବର୍ତ୍ତନ ହେବାର ସଂକେତ ଦେଉଛି । ରାଜ୍ୟରେ ବିଜେପିର ସରକାର ରହିଛି । ହେଲେ ସଂଖ୍ୟା ଗଣିତ କହୁଛି କି, ଯଦି ବିଜେଡି-କଂଗ୍ରେସ ଓ ଅନ୍ୟ ବିରୋଧୀଦଳମାନେ ଏକାଠି ହୋଇଯାଆନ୍ତି ତ ଆଗାମୀ ଦିନରେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେପି ସରକାର ପାଇଁ ଘାତକ ହୋଇପାରେ ।
Follow Us