କନକ ବ୍ୟୁରୋ : ଢାକ୍ ବାଜା ତାଳେ ତାଳେ ଦୁଲୁକୁଛି ପୂଜା ମଣ୍ଡପ । ହାତରେ ହାତ ଛନ୍ଦି, ପାଦରେ ପାଦ ମିଶାଇ, ମାଆଙ୍କ ଆଗରେ ନିଜକୁ ହଜାଇ ଦେଇଛନ୍ତି ଶ୍ରଦ୍ଧାଳୁ । ଆଜି ମହାମାୟାଙ୍କ ମହାନବମୀ । ହୋମଯଜ୍ଞ, ଚଣ୍ଡୀପାଠ ଓ ଷୋଡ଼ଷ ଉପଚାର ପୂଜା । ଆଉ ଦିନକ ପରେ ମେଲାଣି ନେବେ ଜଗତ ଜନନୀ ଦେବୀ ଦୁର୍ଗା । ତା ପୂର୍ବରୁ ଆଜିର ପବିତ୍ର ତିଥିରେ ମାଆଙ୍କ ପାଇଁ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ବହୁ ନିଆରା ପରମ୍ପରା । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପାରଂପରିକ ଝୁଣା ନାଚ ।
ବାଲେଶ୍ୱରର ଚାଲିଛି ଆଖଡ଼ା ଖେଳ । ବାଡ଼ି ବୁଲାଇ କଳାକୌଶଳ ପ୍ରଦର୍ଶନ କରିଛନ୍ତି ଉଭୟ ପୁରୁଷ ଓ ମହିଳା । ପବିତ୍ର ନବମୀ ତିଥିରେ ଚଳଚଞ୍ଚଳ ଜୟପୁର ସହରର ବାଙ୍କ ମଠ । ବିଭିନ୍ନ ଆଡୁ ଆସିଥିବା ଦେବୀଙ୍କ ଶତାଧିକ ବାଉଁଶ ଲାଠିକୁ ଏକାଠି କରି କରାଯାଇଛି ପୂଜାର୍ଚ୍ଚନା ଓ ସହର ପରିକ୍ରମା ।
କେଉଁଠି ଆମିଷ, ଆଉ କେଉଁଠି ଦହିପଖାଳ । ଫଳମୂଳ ଓ ମିଷ୍ଟାନ୍ନ ସହ ମାଆଙ୍କ ପାଖରେ ଭଳି କି ଭଳି ଭୋଗ ଲାଗି ହେବାର ବି ରହିଛି ସ୍ବତନ୍ତ୍ର ପରଂପରା । କଟକ ଚାନ୍ଦିନୀଚୌକ ଓ ଆଲିସା ବଜାରରେ ମାଆଙ୍କ ପାଖେ ଲାଗି ହୋଇଛି ମାଛଭୋଗ । ପୋହଡ଼ା ଓ ରୋହି ସହ ବିଭିନ୍ନ ପନିପରିବା ପଡ଼ି ମାଛଭୋଗ ମାଙ୍କ ପାଖରେ ଲାଗି ହେବା ପରେ ସାହିରେ ବଣ୍ଟାଯାଏ । ଏପଟେ କାକଟପୁରର ପ୍ରସିଦ୍ଧ ଶକ୍ତିପୀଠରେ ବିଶ୍ରାମ ନୀତି ଚାଲିଥିବା ବେଳେ, ଧବଳ ବେଶରେ ଦର୍ଶନ ଦେଉଛନ୍ତି ମାଆ ମଙ୍ଗଳା । ତାଙ୍କ ଉଗ୍ର ମୁଖକୁ ଶାନ୍ତି କରିବା ପାଇଁ ସେବାୟତ ଲାଗି କରିଛନ୍ତି ଦହି ପଖାଳ ।