କନକ ବ୍ୟୁରୋ : ଆଜି ପବିତ୍ର ମାଘପୂର୍ଣ୍ଣିମା । ବିଶ୍ବାସ ଅଛି ଏହି ଦିନ ତ୍ରିବେଣୀ ସଙ୍ଗମ ବୁଡ ପକାଇଲେ ମହାପୂଣ୍ଣ୍ୟ ମିଳିଥାଏ । ଅନ୍ୟପଟେ ମହାକୁମ୍ଭରେ ଆଜି ତୃତୀୟ  ଅମୃତ ସ୍ନାନ  ହୋଇଥିବାରୁ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ବିଭିନ୍ନ ଘାଟରେ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି । ସୂଚନା ଅନୁସାରେ ସକାଳ ୮ଟା ସୁଦ୍ଧା ୭୪ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇସାରିଥିବାବେଳେ ଆଜି ଏହାର ସଂଖ୍ୟା ଅଢ଼େଇ କୋଟି ଟପିବା ଅନୁମାନ କରାଯାଉଛି ।  ସେପଟେ ସମସ୍ତ ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ସଜାଗ ରାଜ୍ୟ ସରକାର । ଭୋର ୪ଟାରେ କଂଟ୍ରୋଲ ରୁମରୁ ସ୍ଥିତି ନିରୀକ୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୂଚନା ଅନୁସାରେ ଏଆଇ ଦ୍ବାରା ଭିଡ଼ ନିୟନ୍ତ୍ରଣ କରାଯାଉଛି । ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯାଇଛି । ୧୩୩ ଏୟାର ଆମ୍ବୁଲାନ୍ସକୁ ମୁତୟନ କରାଯାଇଛି । ଫେବ୍ରୁଆାରୀ ୧୨ ତାରିଖ ପର୍ୟ୍ୟନ୍ତ ପ୍ରୟାଗରାଜକୁ ନୋ-ଭେହିକିଲ ଜୋନ ଘୋଷଣା କରାଯିବା ସହ ଭିଭିଆଇପି ପାସକୁ ରଦ୍ଦ କରାଯାଇଛି । ସୂଚନା ଅନୁସାରେ ଜାନୁଆରୀ ୧୩ରୁ ଆଜି ସୁଦ୍ଧା ପ୍ରାୟ ୪୬କୋଟି ୨୫ଲକ୍ଷ ଲୋକ ତ୍ରିବେଣୀ ସଙ୍ଗମରେ ବୁଡ ପକାଇସାରିଲେଣି ।