କନକ ବ୍ୟୁରୋ : ମହିଳା ଦିବସରେ ମହିଳାଙ୍କ ପାଇଁ ଖୁସି ଖବର । ଖାତାକୁ ଆସିଲା ସୁଭଦ୍ରା ୨ୟ କିସ୍ତି। ଏକାକାଳୀନ ୧ କୋଟି ୬୩ ହଜାର ମହିଳାଙ୍କୁ ମିଳିଲା ଟଙ୍କା । ବ୍ରହ୍ମପୁର ଆମ୍ବପୁଆ ପଡ଼ିଆରେ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ସାମିଲ ହୋଇ ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏସବୁ ଭିତରେ କୋଟିଏ ପାର କରିଛି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା। ସେପଟେ ମାର୍ଚ୍ଚ ୩୧ ହେଉଛି ସୁଭଦ୍ରା ଆବେଦନର ଶେଷ ତାରିଖ । ଏହାପରେ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ଆରମ୍ଭ ହେବ ସର୍ଭେ । ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍ ନପଡ଼ନ୍ତି ସେଥିପାଇଁ ପଦକ୍ଷେପ ନେବେ ସରକାର ।
ସୁଭଦ୍ରା ଟଙ୍କା ମିଳିବା ପରେ ଉତ୍ସାହିତ ମହିଳା । ଗତକାଲି ଘରର ମୁଖ୍ୟ ଦ୍ୱାରରେ ଦୀପ ଜାଳିଥିଲେ। ଆଜି ଟଙ୍କା ମିଳିବା ପରେ ନୂଆ ବ୍ୟବସାୟ ନେଇ ସ୍ବପ୍ନ ଦେଖିଛନ୍ତି। ଦ୍ବିତୀୟ କିସ୍ତିରେ ପ୍ରତି ହିତାଧିକାରୀଙ୍କୁ ମିଳିଛି ୫ ହଜାର ଲେଖାଏଁ ଟଙ୍କା। ଯେଉଁଥିରେ ବ୍ୟବସାୟ ଆରମ୍ଭ କରି ସ୍ବାବଲମ୍ବୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ହିତାଧିକାରୀ।
ମହିଳାଙ୍କ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି ସରକାର । ଏଥିପାଇଁ ବ୍ୟୟବରାଦ ହୋଇଛି ୧୦ ହଜାର ୧୪୫ କୋଟି ଟଙ୍କା । ତେବେ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି କିସ୍ତି।