କନକ ବ୍ୟୁରୋ :  ଦୀପାବଳ ସାଙ୍ଗକୁ କାର୍ତ୍ତିକ ମାସ । ପୂଜା ପାଇଁ ଆବଶ୍ୟକ ମାଟି ଦୀପ । ଭଗବାନଙ୍କ ପାଖରେ ଦୀପଟିଏ ଜାଳି ଶୁଭ ମନାସିଥାନ୍ତି ସମସ୍ତେ । ଦୀପାବଳିରେ ଅଧିକ ମାଟି ଦୀପ ବିକ୍ରି ହୋଇଥାଏ । ଲୋକଙ୍କ ଆବଶ୍ୟକ ମୁତାବକ ଦୀପ ତିଆରି କରିଛନ୍ତି କଟକ ସାଲେପୁର ବ୍ଲକ ରାଇସୁଙ୍ଗୁଡା ଗାଁର କୁମ୍ଭକାର ପରିବାର ।  ମାଟି ପାତ୍ର ଠାରୁ ଆରମ୍ଭ କରି ମାଟି ମୂର୍ତ୍ତୀ, ସବୁ ଗଢନ୍ତି। ଦୀପାବଳିରେ ହଜାର ହଜାର ସଂଖ୍ୟାରେ ଦୀପ ତିଆରି କରି ଆଖପାଖ ଅଞ୍ଚଳରେ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି । 

Advertisment

ନିଶ୍ଚିନ୍ତକୋଇଲିରେ ମଧ୍ୟ କୁମ୍ଭକାର ଦୀପ ତିଆରି କରିଛନ୍ତି। କିନ୍ତୁ ଏଠି ମାଟି ଦୀପର ବିଶେଷ ଚାହିଦା ନଥିବା ଅଭିଯୋଗ ହୋଇଛି । ଗାଁ ଠୁ ସହର ସବୁ ଦୋକାନରେ ବାଣ, ରେଡିମେଡ଼ ଦୀପର ପସରା ମେଲିଛି । ଦିନ ଥିଲା ମାଟି ଦୀପ ପାଇଁ କୁମ୍ଭାର ଘରେ ଭିଡ଼ ଜମୁଥିଲା । ଆଉ ଏବେ କୁମ୍ଭକାର ନିଜ ବୃତ୍ତିକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । 

ବାଲେଶ୍ବର ଭୋଗରାଇର ନାଫରାଇ, କୁମ୍ଭାରମୂଳି, ଦେଉଳା, ସରବଣୀ, ତେଘରି ଓ ବାଗରୁଖି ଗାଁରେ ଅଧିକାଂଶ କୁମ୍ଭକାର ପରିବାର ବସବାସ କରନ୍ତି । ଦିନେ ଭୋଗରାଇର ମାଟି ଦୀପ, ହାଣ୍ଡି ଓ ମାଟି କଣ୍ଢେଇ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ପାଇଥିଲା। ଦୁର୍ଗାପୂଜା ଓ କାଳୀପୂଜା ସମୟରେ ବିଭିନ୍ନ ସ୍ଥାନ ଓ ହାଟରେ ମାଟି ତିଆରି ସାମଗ୍ରୀର ପସରା ମେଲୁଥିଲା । କିନ୍ତୁ ଆଧୁନିକ ଯୁଗରେ ପ୍ଲାଷ୍ଟିକ, ଷ୍ଟିଲ ଓ ଆଲୁମିନିୟମର ଚାହିଦା ବଢିବାରୁ ମାଟି ସାମଗ୍ରୀର ଆଦର କମିଛି । କ୍ଷତି ହେଲେବି କୌଳିକ ବୃତ୍ତିକୁ ଛାଡ଼ି ପାରିନଥିବା କାରିଗର ଆଜି ବି ସାମଗ୍ରୀ ତିଆରି କରୁଛନ୍ତି ।

ଲାଭ କ୍ଷତିକୁ ନ ଅନାଇ କୁମ୍ଭକାର ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।