କନକ ବ୍ୟୁରୋ: ବିଜୁ ଜୟନ୍ତୀରେ ବିଜୁ ବାବୁଙ୍କୁ ଅପମାନ ଅଭିଯୋଗରେ ସାରା ରାଜ୍ୟରେ ରାସ୍ତାକୁ ଓହ୍ଲାଇଛି ବିଜେଡି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ହେଉ କି ପଞ୍ଚାୟତିରାଜ ଦିବସ ପାଳନ ବନ୍ଦ, ଉଭୟକୁ ପ୍ରତିବାଦ କରିଛି ଦଳ। ଅନ୍ୟପଟେ ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବାରୁ ବିଜୁ ବାବୁଙ୍କୁ ବଡ଼ ପ୍ରସଙ୍ଗ କରିବା ପ୍ରସ୍ତୁତ ହେଲାଣି ବିଜେଡି।
- ବିଜୁଙ୍କୁ ନେଇ ଥମୁନି ବିବାଦ
- ତାତିଲା ବିଜେଡି, ରାସ୍ତାରେ ପ୍ରତିବାଦ
ବିଜୁ ଜୟନ୍ତୀରେ ବିଜୁ ବାବୁଙ୍କୁ ଅସମ୍ମାନ ଅଭିଯୋଗରେ ରାଜ୍ୟବ୍ୟାପୀ ବିଜେଡିର ପ୍ରତିବାଦ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରତିବାଦର ସ୍ବର। ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା, ବିଜୁ ବାବୁଙ୍କ ଜନ୍ମଦିବସକୁ ପଞ୍ଚାୟତିରାଜ ଦିବସ ରୂପେ ନପାଳିବା ଏବଂ ସରକାରୀ ଛୁଟି ବାତିଲ କରିବା ପ୍ରବାଦ ପୁରୁଷଙ୍କ ପ୍ରତି ଅପମାନ ଅଭିଯୋଗ ଆଣି ବିକ୍ଷୋଭ କରିଛି ଦଳ। ଏପରି ପଦକ୍ଷେପକୁ ଦୃଢ଼ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ଦଳୀୟ ନେତା ଓ କର୍ମୀ। ରାଜଧାନୀରେ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି।
ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବାକୁ ନେଇ ତେଜିଛି ଆରୋପ ପ୍ରତ୍ୟାରୋପ। ଅଭିଯୁକ୍ତଙ୍କ ସହ ବିଜେଡି ନେତାଙ୍କ ଫଟୋ ଦେଖାଇ ବର୍ଷିଛି ବିଜେପି। ଅନ୍ୟପଟେ ପାଲଟା ଅଭିଯୋଗ ଆଣି ବିଜେପିକୁ ଟାର୍ଗେଟ କରିଛି ବିଜେଡି। ଅନ୍ୟପଟେ ସ୍ଥାନୀୟ ବିଧାୟକଙ୍କୁ ଦୋଷ ଦେଇ ବର୍ଷିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ।
ଆସନ୍ତାକାଲିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବାରୁ ବିଜୁ ବାବୁଙ୍କୁ ବଡ଼ ପ୍ରସଙ୍ଗ କରିବାକୁ ଯୋଜନା କରିଛି ବିଜେଡି। ତେବେ ବିରୋଧୀଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଛି ବିଜେପି।