କନକ ବ୍ୟୁରୋ : ତଥ୍ୟ କହୁଛି ରାଜ୍ୟରେ ଏଡସ ସଂକ୍ରମଣ ହାର ହ୍ରାସ ପାଉଛି । ପୂର୍ବ ଅପେକ୍ଷା ରାଜ୍ୟରେ ଏଡ଼ସ ରୋଗୀଙ୍କ ସଂଖ୍ୟା ମଧ୍ୟ କମ ରହିଛି । ୨୦୦୨ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୬୩ ହଜାର ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏବେ ୩୨ ହଜାର ରୋଗୀ ଟ୍ରାକରେ ରହିଛନ୍ତି । କିନ୍ତୁ ଚିନ୍ତାର ବିଷୟ ହେଉଛି ରାଜ୍ୟରେ ଏବେ ୧୦ ହଜାର ଏଡ଼ସ ରୋଗୀଙ୍କ ଖୋଜ ଖବର ନାହିଁ । ରାଜ୍ୟ ଏଡସ ନିୟନ୍ତ୍ରଣ ସମିତିର ତଥ୍ୟ ଅନୁସାରେ, ନିଜ ବିଷୟରେ ଭୁଲ ତଥ୍ୟ ଦେଇ କୁଆଡେ ଗାୟବ ହୋଇଯାଇଛନ୍ତି ଏହି ରୋଗୀ। ଯେଉଁମାନେ ଏବେ ସଂକ୍ରମଣ ବଢ଼ାଇବାର କାରଣ ହୋଇପାରନ୍ତି ।
ମହିଳାଙ୍କ ଅପେକ୍ଷା ପୁରୁଷଙ୍କ କ୍ଷେତ୍ରରେ ସଂକ୍ରମଣ ଅଧିକ ରହିଛି । ଗଞ୍ଜାମରେ ସର୍ବାଧିକ ୧୯ ହଜାର ୧୫୫ ଜଣ ଏଡସ୍ ସଂକ୍ରମିତ ରହିଛନ୍ତି । ବଡ କଥା ହେଉଛି, ଗଞ୍ଜାମରେ ୧୦ଜଣ କଲେଜ ଶିକ୍ଷାର୍ଥୀ ଏଡସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯୁବପୀଢ଼ିଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବା ଚିନ୍ତାର କାରଣ ପାଲଟିଛି। ସେହିପରି ଟ୍ରାନ୍ସଜେଣ୍ଡରଙ୍କ ମଧ୍ୟରେ ମଧ୍ୟ ଏଡସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।
ଏଡସ୍ ସଂକ୍ରମଣର କାରଣ ..
- ସମଲିଙ୍ଗୀ ସମ୍ପର୍କ
- ଅସୁରକ୍ଷିତ ଯୌନ ସମ୍ପର୍କ
- ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ସଚେତନତାର ଅଭାବ
- ଅଧାରୁ ଚିକିତ୍ସା ବନ୍ଦ କରିବା
- ଲୋକଲଜ୍ୟାକୁ ଡରି ପରୀକ୍ଷା ଓ ଚିକିତ୍ସା ପାଇଁ ନଆସିବା
ଯୋଗୁଁ ଚିହ୍ନଟ ହେଉଛନ୍ତି ନୂଆ ସଂକ୍ରମିତ । ତେବେ ଏଡସ ନିରାକରଣ ଓ ସଚେତନ କରାଇବାକୁ ସରକାରଙ୍କ ତରଫରୁ ବିଭିନ୍ନ ବ୍ୟବସ୍ଥା ହେଉଛି । ପ୍ରାୟ ୫୨ ସ୍ବେଛାସେବୀ ସଂଗଠନ ଏଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।
ତେବେ ୨୦୩୦ ସୁଦ୍ଧା ରାଜ୍ୟରେ ଏଡ଼ସ ସଂକ୍ରମଣ ଶୂନ କରିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ନିଖୋଜ ହଜାର ହଜାର ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସା କରାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ।