କନକ ବ୍ୟୁରୋ : ଓଡ଼ିଶା ଖଣି ନିଗମ (ଓଏମସି) ଚଳିତ ଆର୍ଥିକ ବର୍ଷ ୨୦୨୫ , ୨୬ ମଧ୍ୟରେ ଖଣିଜ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି କରିଛି ।  ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଲୁହା ପଥର ଉତ୍ପାଦନ ୨୪.୮୮ ମିଲିଅନ୍ ଟନ୍ (MT) ରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷ ବା ୨୦୨୪-୨୫ ବର୍ଷର ଡିସେମ୍ବର ମାସ ଶୁଦ୍ଧ ହୋଇଥିବା ଉତ୍ପାଦନ କୁ ଅତିକ୍ରମ କରିଅଛି  ।

Advertisment

ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅଧିନସ୍ଥ ଓଏମସି ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସମୁଦାୟ ୨୯.୦୩ ମିଲିଅନ୍ ଟନ୍  (ଲୁହା ପଥର, କ୍ରୋମ୍, ବକ୍ସାଇଟ୍ ଓ ଅନ୍ୟାନ୍ୟ) ଖଣିଜ ଉତ୍ପାଦନ କରିଛି । ଏହି ଦୃଢ଼ କାର୍ଯ୍ୟଦକ୍ଷତା ଓଏମସି କୁ ଦେଶର ଅଗ୍ରଣୀ ମାଇନିଂ କମ୍ପାନୀଗୁଡ଼ିକ ମଧ୍ୟରେ ନିଜ ସ୍ଥାନକୁ ସୁଦୃଢ଼ କରିବା ସହ ଆର୍ଥିକ ବର୍ଷ ୨୦୨୫–୨୬ ରେ ନୂତନ ଉତ୍ପାଦନ ମାଇଲସ୍ଟୋନ୍ ସୃଷ୍ଟି ପାଇଁ ସହକାରୀ ହେବ  ।  ଆର୍ଥିକ ବର୍ଷ ୨୦୨୫–୨୬ ର ତୃତୀୟ ତ୍ରୟମାସ (Q3) ରେ ଓଏମସି ର କାର୍ଯ୍ୟଦକ୍ଷତା ଏହି ଉର୍ଦ୍ଧ୍ୱଗାମୀ ଧାରାକୁ ଆହୁରି ସ୍ପଷ୍ଟ କରେ ।  Q3 ରେ କର୍ପୋରେସନ୍ ସମୁଦାୟ ୧୨.୯୪ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ କରିଛି,

ଯାହା ଆର୍ଥିକ ବର୍ଷ ୨୦୨୪–୨୫ ର Q3 (୯.୮୪ ମିଲିଅନ୍ ଟନ୍) ତୁଳନାରେ ପ୍ରାୟ ୩୧.୫% ବୃଦ୍ଧି ଅଟେ। ୨୦୨୫–୨୬  ର Q3 ଉତ୍ପାଦନରେ ୧୧.୨୩ ମିଲିଅନ୍ ଟନ୍ ଲୁହା ପଥର, ୦.୪୯ ମିଲିଅନ୍ ଟନ୍ କ୍ରୋମ୍, ୧.୧୫ ମିଲିଅନ୍ ଟନ୍ ବକ୍ସାଇଟ୍ ଓ ୦.୦୭ ମିଲିଅନ୍ ଟନ୍ ଅନ୍ୟାନ୍ୟ ଖଣିଜ ରହିଅଛି  ।  ଏହା ଉତ୍ତମ ମାଇନିଂ ପରିଚାଳନା, ଅନୁକୂଳ କାର୍ଯ୍ୟ ପରିସ୍ଥିତି ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସାଧିତ ହୋଇଛି ।

 ଓଏମସି ଏହି କ୍ରମରେ ଉତ୍ପାଦନ ଜାରି ରଖି ଚଳିତ ଆର୍ଥିକ ବର୍ଷ ୨୦୨୫ - ୨୬ ଶେଷ ସୁଦ୍ଧା ଖଣିଜ ଉତ୍ପାଦନ ଓ ବିଶେଷ କରି ଲୁହା ପଥର ଉତ୍ପାଦନ ରେ ନୂତନ ରେକର୍ଡ ସୃଷ୍ଟି କରିବା ପାଇଁ ପଥ ପ୍ରସ୍ତୁତ କରିଅଛି   । ଉତ୍ପାଦନ ବୃଦ୍ଧି ସହିତ, ଓଏମସି ଦାୟିତ୍ୱପୂର୍ଣ୍ଣ ମାଇନିଂ, ସୁରକ୍ଷା, ତଥା ସିଏସଆର ମାଧ୍ୟମରେ ନିଜ ପାଶ୍ୱବର୍ତୀ ଅଂଚଳ ର  ବିକାଶ ପ୍ରତି ପ୍ରତିବଦ୍ଧ ରହିଛି ।  ଖଣିଜ ଉତ୍ପାଦନରେ ନିରନ୍ତର ବୃଦ୍ଧି ଓଡ଼ିଶା ରେ ଶିଳ୍ପ ର ଉନ୍ନତି ଏବଂ ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବାରେ ଓଏମସି ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିବଦ୍ଧ କରେ ।