Photograph: (kanak news)
କନକ ବ୍ୟୁରୋ: ଓଡ଼ିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ, ସୁଧାଂଶୁ ମୋହନ ସାମଲ ଯାଜପୁର ଜିଲ୍ଲା ସ୍ଥିତ ସୁକିନ୍ଦା ଅଞ୍ଚଳରେ ଥିବା ଓଏମସିର କ୍ରୋମ୍ ଖଣି ଅଞ୍ଚଳ ପରିଦର୍ଶନ କରିବା ସହିତ ଖଣି କ୍ଷେତ୍ରର ବ୍ୟାପକ ସମୀକ୍ଷା କରିଛନ୍ତି ।
ଏହି ଗସ୍ତରେ ନିର୍ଦ୍ଦେଶକ (ଅପରେସନ) ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ କୁମାର ପାଳ ଏବଂ ନିର୍ଦ୍ଦେଶକ (ଅର୍ଥ) ବନ ବିହାରୀ ପାଣିଙ୍କ ସମେତ ଖଣି ଅଞ୍ଚଳର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ଅବସରରେ, ପରିଚାଳନା ନିର୍ଦ୍ଦେଶକ ସାଉଥ୍ କାଳିଆପାଣି ଖଣି ପରିଦର୍ଶନ କରିବା ସହିତ ଏହାର ପ୍ରମୁଖ କାର୍ଯ୍ୟକ୍ଷମ ସ୍ଥାନଗୁଡ଼ିକ ଯଥା – ଏପ୍ଲାଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଇଟିପି), କ୍ଲାରି ଡି ଏବଂ କ୍ଵାରି ଏଫ୍, ଷ୍ଟକୟାର୍ଡ, କ୍ରୋମ୍ ଓର୍ ବେନିଫିସିଏସନ୍ ପ୍ଲାଣ୍ଟ (ସିଓବିପି), ଏବଂ କାରଖାନାର ବର୍ଜ୍ୟବସ୍ତୁ ସଂଗ୍ରହକ ଭାବେ ବ୍ୟବହୃତ ଟିଲିଙ୍ଗ୍ ପୋଖରୀ, ସୁକରଙ୍ଗି ଖଣି ଅଞ୍ଚଳ ଏବଂ କାଳିଆପାଣି ଖଣି ପରିସରକୁ ପରିଦର୍ଶନ କରିଥିଲେ । ଏଥ୍ସହିତ ବିକ୍ରୟ ଏବଂ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓଏମସିରୁ ଉତ୍ପାଦ ହେଉଥିବା ଖଣିଜ ପଦାର୍ଥ ଗୁଡ଼ିକ କିଭଳି ନିଜର ସଠିକ୍ ଗୁଣବତ୍ତାକୁ ବଜାୟ ରଖିବ ତାହା ଉପରେ ଗୁରୁତ୍ବାରୋପ କରିଥିଲେ । ଏଥିସହ ବିକ୍ରୟ ବ୍ୟବସ୍ଥାକୁ ସୁପରିଚାଳିତ ଓ ସ୍ଵଚ୍ଛ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟନ୍ଵୟନରେ ନିଜସ୍ବ ନେତୃତ୍ୱ ନେବା ଏବଂ ବ୍ୟବସାୟିକ ଲକ୍ଷ୍ୟ ହାସଲ କରିବା ପାଇଁ ମିଳିତ ଭାବରେ କାମ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଓଏମସିର ବ୍ୟବସାୟିକ କାର୍ଯ୍ୟକ୍ଷମ ଉତ୍କର୍ଷତା ସୁନିଶ୍ଚିତ କରିବା ପାଇଁ ସମସ୍ତ ବୈଧାନିକ ଅନୁପାଳନ ଏବଂ ଆଇନଗତ କାର୍ଯ୍ୟକୁ ଗୁରୁତର ସହକାରେ ଭାବେ ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ, ପରିଚାଳନା ନିର୍ଦ୍ଦେଶକ ଓଏମସିର ଫେରୋ-କ୍ରୋମ୍ ପ୍ଲାଣ୍ଟର କାର୍ଯ୍ୟ ସମୀକ୍ଷା କରିବା ସହିତ, ଏହାର ବ୍ୟବସାୟକୁ ବୃଦ୍ଧି କରିବା ନିମନ୍ତେ ସଠିକ୍ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ସୌରଶକ୍ତି ଭଳି ନବୀକରଣୀୟ ଶକ୍ତିକୁ ବହୁଳ ଭାବେ ବ୍ୟବହାର କରିବା ସହିତ ଏବଂ ସ୍ଥାନୀୟ ଖଣି ଅଞ୍ଚଳର ପରିବେଶଗତ ସନ୍ତୁଳନକୁ ସୁଦୃଢ଼ କରିବା ପାଇଁ ବୃକ୍ଷରୋପଣ ଅଭିଯାନ ଉପରେ ଗୁରୁତ୍ବାରୋପ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
Follow Us