କନକ ବ୍ୟୁରୋ : ୮ ମାସରେ କଇଁଛ ବୁଲିଛି ୧ ହଜାର କିଲୋମିଟର । ଗହୀରମଥା ସମୁଦ୍ର ଉପକୂଳରୁ  ଶ୍ରୀଲଙ୍କା ଉପକୂଳ ଯାଏଁ ୧ ହଜାର କିଲୋମିଟରରୁ ଅଧିକ ଦୂର ଯାତ୍ରା କରିଛି ଅଲିଭ୍ ରିଡ୍‌ଲେ ସାମୁଦ୍ରିକ କଇଁଛ । କଇଁଛ ଦେହରେ ସାଟେଲାଇଟ୍ ଲଗାଇ କରାଯାଇଛି ନିରୀକ୍ଷଣ । ଶ୍ରୀଲଙ୍କା ଉପକୂଳ ଯାଏଁ ଯିବା ପରେ ସେପ୍ଟେମ୍ବର ମାସରୁ ଏକ ସାଟେଲାଇଟ୍-ଟ୍ୟାଗିଂ ଅଲିଭ୍ ରିଡ୍‌ଲେ କଇଁଛ ସଙ୍କେତ ଦେବା ବନ୍ଦ କରି ଦେଇଛି । ଫଳରେ କଇଁଛଟିର ମୃତ୍ୟୁ ଘଟିଛି ନା ଟ୍ରାନ୍ସମିଟର ଖସିଯାଇଛି କିମ୍ବା ଟ୍ରାନ୍ସମିଟରର ବ୍ୟାଟେରି ସରିଯାଇଛି, ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନାହିଁ । 

Advertisment

ଗହୀରମଥାର ବାବୁବାଲିରୁ ସମୁଦ୍ରରେ ଯାତ୍ରା ଆରମ୍ଭ କରିଥିବା ସାଟେଲାଇଟ୍‌ ଟ୍ୟାଗିଂ ଅଲିଭ୍‌ ରିଡ୍‌ଲେ କଇଁଛ ଗହୀରମଥାରୁ ପୁରୀ, ବ୍ରହ୍ମପୁର, ଆନ୍ଧ୍ରପ୍ରଦେଶ, ତିରୁପତି, ଚେନ୍ନାଇ, ପୁଡୁଚେରି ଦେଇ ତାମିଲନାଡୁ ନିକଟ ଗଭୀର ସମୁଦ୍ରରେ ଶ୍ରୀଲଙ୍କା ଉପକୂଳରେ ପହଞ୍ଚିଥିବା ଜଣାପଡ଼ିଛି । ଡେରାଡୁନ୍‌ର ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ପକ୍ଷରୁ କଇଁଛ ଦେହରେ ସାଟେଲାଇଟ୍‌ ଟ୍ୟାଗିଂ କରାଯିବା ସହ ତାର ଗତିବିଧି ଅନୁଧ୍ୟାନ କରାଯାଉଥିଲା । ୧୩ ମାର୍ଚ୍ଚ୨୦୨୫ ରେ ଗହୀରମଥାରେ ଅଣ୍ଡା ଦେବାକୁ ଉପରକୁ ଉଠିଥିବା ଦୁଇଟି ମା’ କଇଁଛ ଦେହରେ ସାଟେଲାଇଟ୍‌ ଟ୍ୟାଗିଂ କରାଯାଇଥିଲା । ଦୁଇଟି ସାଟେଲାଇଟ୍‌ ଟ୍ୟାଗିଂ କଇଁଛଙ୍କ ମଧ୍ୟରୁ ଗୋଟିଏ କଇଁଛ ଗଭୀର ସମୁଦ୍ରରେ ଯାତ୍ରା କରି ଶ୍ରୀଲଙ୍କା ଉପକୂଳରେ ପହଞ୍ଚି ଥିବା ବେଳେ ଅନ୍ୟ ଏକ କଇଁଛର ଅବସ୍ଥିତି ଜଣାପଡ଼ି ନାହିଁ ।  

ପୂର୍ବରୁ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ୨୦୨୧ରେ ଗହୀରମଥାରେ ଅଣ୍ଡା ଦେଉଥିବା କଇଁଛଙ୍କ ଗୋଡ଼ରେ ଧାତବ ଫଳକରେ ନମ୍ବର ଲେଖି ଲଗାଯାଇଥିଲା । ସେହି ଧାତବ ଫଳକ ଲଗାଯାଇଥିବା ଅଲିଭ୍‌ରିଡ୍‌ଲେ କଇଁଛ ମହାରାଷ୍ଟ୍ର ଉପକୂଳରେ ଚଳିତ ବର୍ଷ ଗଣ ଅଣ୍ଡାଦାନ ବେଳେ ଚିହ୍ନଟ କରାଯାଇଥିଲା । ପୂର୍ବରୁ ପିଠିରେ ଟ୍ରାନ୍ସମିଟର ଲଗାଯାଇଥିବା କଇଁଛ ଶ୍ରୀଲଙ୍କାର ଜାଫ୍‌ନା ଉପକୂଳରୁ ମିଳିଥିଲା । ଶ୍ରୀଲଙ୍କାର ଜାଫ୍‌ନା ଉପକୂଳରୁ ଆନ୍ଧ୍ର ଓ ଆଣ୍ଡାମାନ ଉପକୂଳ ଦେଇ ଗହୀରମଥାକୁ ଅଣ୍ଡା ଦେବାକୁ ଆସିଥାନ୍ତି ବୋଲି ଜଣାପଡ଼ିଥିଲା । ଏବେ ଧାତବ ଫଳକ ଟ୍ୟାଗିଂ କଇଁଛ ମହାରାଷ୍ଟ୍ର ଓ ସାଟେଲାଇଟ୍‌ ଟ୍ୟାଗିଂ କଇଁଛ ଶ୍ରୀଲଙ୍କା ଉପକୂଳ ଯାଏଁ ଯିବା ସ୍ପଷ୍ଟ ହୋଇଛି । ପରିବେଶ ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗତିବିଧି ଓ ଜୀବନଶୈଳୀ ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି ।