କନକ ବ୍ୟୁରୋ: ଗୁଣ୍ଡିଚା ମନ୍ଦିର ଆଗରେ ଦଳାଚକଟା ଘଟଣାକୁ ନେଇ ଆଗକୁ ତୀବ୍ର ହେବ ରାଜନୀତି । ଏମିତି କି ଏହି ପ୍ରସଙ୍ଗ ବିଧାନସଭା ଏବଂ ସଂସଦରେ ମଧ୍ୟ ଉଠିବ । ରବିବାର ଏନେଇ ସଙ୍କେତ ଦେଇଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ତାଙ୍କ କହିବା ମୁତାବକ, ଏ ସରକାର କେବଳ ବାକ୍ୟ ବୀର, କିନ୍ତୁ କର୍ମବୀର ନୁହଁନ୍ତି । ସମ୍ପୂର୍ଣ୍ଣ ତ୍ରୁଟିରେ ରଥଯାତ୍ରା ହୋଇଛି । ଯାହାକୁ ଅକ୍ଷମଣୀୟ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।
ସେପଟେ ଦଳାଚକଟା ଘଟଣା ପରେ ଜିଲ୍ଲାପାଳ ଏବଂ ଏସପିଙ୍କ ବଦଳି ସମାଧାନ ନୁହେଁ । ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଏହାସହ ଏହି ଘଟଣା ସାରା ଦେଶ ଆଉ ବିଶ୍ୱରେ ଜଗନ୍ନାଥପ୍ରେମୀଙ୍କୁ ଆନ୍ଦୋଳିତ କରିଛି । ତେଣୁ ସରକାର ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ପୁରୀରେ ଏବେ ଭକ୍ତମାନଙ୍କୁ ପିଇବାକୁ ପାଣି ମିଳୁନି । ତେଣୁ ମନ୍ତ୍ରୀ କିମ୍ବା ସରକାରୀ ଅଧିକାରୀ ଯିଏ ବି ଏହି ଦାୟିତ୍ୱରେ ଥିଲେ ତାଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।
ଅନ୍ୟପଟେ ଆଜି ଦଳଚକଟା ଘଟଣାରେ ସଫେଇ ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପହୁଡ଼ ପାଇଁ ଅଘଟଣ ହେଇନି । ସ୍ୱାଭାବିକ ସମୟରେ ହିଁ ଠାକୁରଙ୍କ ପହୁଡ଼ ପଡ଼ିଥିଲା । ନୀତିକାନ୍ତି ସରିବା ପରେ ହିଁ ପହୁଡ଼ ପଡ଼ିଥିଲା । ତେଣୁ ପହୁଡ଼କୁ ନେଇ ଦ୍ୱନ୍ଦ୍ୱ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଏହାସହ ଶରଧାବାଲି ଅଘଟଣକୁ ନେଇ ପ୍ରାରମ୍ଭିକ ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଖୁବଶୀଘ୍ର ତଦନ୍ତ ଆରମ୍ଭ କରିବେ ଉନ୍ନୟନ କମିସନର । ତେବେ ତଦନ୍ତ ୩୦ ଦିନ ଭିତରେ ସରିବ । ଆଉ ଏହି ଘଟଣାରେ କାହାର ଅବହେଳା ଥିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏହାସହ ଏହି ଘଟଣା କାହିଁକି ଘଟିଲା? ଆଗକୁ କିପରି ଏପରି ଅଘଟଣ ନ ଘଟିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।