୨୦ ବର୍ଷ ତଳେ ଲଗାଇଥିଲି , ପୁଅ ପରି କେତେ ଯତନରେ ତତେ ପାଳିଲି । ପାଣି ଦେଇ ତତେ ବଡ଼ କରିଥିଲି .. ହେଲେ ଏବେ କିଏ କେଜାଣି ତତେ କାଟି ଦେଇ ପଳାଇଲା । ମୁଁ ଜନ୍ମକଲା ମାଆ ତ ନୁହେଁ କିନ୍ତୁ ତତେ ଏତେ ଯତ୍ନରେ ପାଳି ତୋ ପାଳିତ ମା’ ପାଲଟିଥିଲି । ମୋ ପିଲାଟିକୁ କେମିତି କିଏ କାଟିଦେଲା … କାହାର ହାତ ଗଲା । ଗଛଟିଏ ଲଗାଇବା ପାଇଁ କାହାର ହାତ ଯାଉନି , ମୋ ଗଛଟା କ’ଣ କରିଥିଲା କାଟିଦେଲ … ହେ ବିଶ୍ବବ୍ରହ୍ମାଣ୍ଡର ଗୋସାଇଁ ଏମିତି କିଏ କଲା … କିଏ କଲା ପ୍ରଭୁ …   

Advertisment

କନକ ବ୍ୟୁରୋ : ଏମିତି ପ୍ରଳାପ କରି କଟାଗଛ ପାଖରେ ବସି କାନ୍ଦୁଥିଲେ ବୁଢ଼ୀ ମା’ । ୨୦ ବର୍ଷ ତଳେ ଲଗାଇଥିବା ତାଙ୍କ ଗଛଟିକୁ କେହି ଜଣେ ଷଡ଼ଯନ୍ତ୍ର କରି କାଟି ପକାଇଛନ୍ତି । ନିଜ ଛୁଆ ପରି ଗଛ ଲଗାଇ ପାଣି ଦେଇ ବଡ଼ କରିଥିବା ଗଛଟିର କଟା ଅବସ୍ଥା ଦେଖି କେଉଁ ମା’ର କଲିଜା ସହିବ । କୋହ ନ ସମ୍ଭାଳି ଭୋ’ ଭୋ ହୋଇ କାନ୍ଦୁଛନ୍ତି ବୁଢ଼ୀ ମା’ । ବାରମ୍ବାର ମୁଣ୍ଡିଆ ମାରି ଆଧୁନିକ ମଣିଷର ନିର୍ବୋଧ କାମକୁ ଗଛ ଆଗରେ କହି କ୍ଷମା ମାଗୁଛନ୍ତି । ଏ ଦୃଶ୍ୟ ଯେ କେହିବି ଦେଖୁଛି ତାଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସିଛି । ବୃଦ୍ଧା ମହିଳା ନିତିଦିନିଆ କାମ ପରି ଗଛଟିର ଖୁବ୍ ଯତ୍ନ ନେଇଥିଲେ , ଛୋଟ ଗଛଟି ବଡ଼ ହୋଇଥିଲା ହେଲେ ଏବେ ପଡ଼ିଛି ତ କେବଳ କଟା ଗଣ୍ଡିଟିଏ । ବୃକ୍ଷର ବିକୃତ ଅବସ୍ଥା ଦେଖି ସେ ସହ୍ୟ କରିପାରୁନାହାନ୍ତି । ଆଖପାଖର ଲୋକେ କୁହନ୍ତି ବୁଢ଼ୀ ମାଉସୀ ଗଛଟିକୁ ପର୍ବପର୍ବାଣୀ ଆସିଲେ ସାଲୁକପଡ଼ା ଗୁଡ଼ାଇ ପୂଜା କରୁଥିଲେ । ହେଲେ ଏବେ ଆଉ କାହାକୁ ପୂଜା କରିବେ ? ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ସମସ୍ତେ ଏବେ ମଣିଷ ଏବଂ ଗଛ ଭିତରେ ଥିବା ସଂପର୍କ କେତେ ଗଭୀର ସେ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କଲେଣି । ଆଗକାଳର ମଣିଷ ପ୍ରକୃତି ପ୍ରିୟ ଥିଲେ , ପ୍ରକୃତିକୁ ପୂଜା କରୁଥିଲେ , ବୃକ୍ଷ-ଜଙ୍ଗଲ-ପଶୁପକ୍ଷୀଙ୍କ ପ୍ରତି ଦୟାଭାବ ରଖୁଥିଲେ କିନ୍ତୁ ଆଜିର ମଣିଷ ଚାକଚକ୍ୟର ପ୍ରହେଳିକାରେ ଏତେ ଫସିଛି ଯେ କୋଠାବାଡ଼ି ଛଡ଼ା ଆଖିକୁ ଆଉ କିଛି ଦିଶୁନି । ପିଲାବେଳେ ଚତୁର୍ଥ ଶ୍ରେଣୀର ସାହିତ୍ୟ ବହିରେ ଯେତେବେଳେ ଶିକ୍ଷକ ପଢ଼ାଇଥିଲେ ‘‘ରହ ଆରେ କାଠୁରିଆ ନ ପକାଅ ହାଣି , ଶୁଣ କାନ ଡେରି ଥରେ ଏ ଗଛ କାହାଣୀ’’ ସେତେବେଳେ ବୋଧହୁଏ ଶିକ୍ଷକ ଜାଣିନଥିଲେ ଯେ ଆଗାମୀ ପିଢ଼ିର ଜଣେ ଜଣେ ଛାତ୍ର ସେହି କାଠୁରିଆ ପାଲଟିଯିବେ ଆଉ ପଦା କରିଦେବେ ପୂରା ଜଙ୍ଗଲ , କାଟି ପକାଇବେ ବଡ଼ ବଡ଼ ବୃକ୍ଷ । ଆଉ ତା’ ଜାଗାରେ ଛିଡ଼ା ହେବ ଅଟ୍ଟାଳିକା , ହୋଟେଲ୍ , ଶିଳ୍ପାନୁଷ୍ଠାନ । ସମୟ ଆସି ଏମିତି ହେଲାଣି ୧୦-୧୫ ବର୍ଷ ପରେ ବୋଧହୁଏ ଜଙ୍ଗଲ କ’ଣ ତାହା ପାଠବହିରେ ପଢ଼ିବେ ମଡର୍ଣ୍ଣ ଛାତ୍ରଛାତ୍ରୀ । ପ୍ରଶ୍ନ ଉଠୁଛି ସୌନ୍ଦର୍ଯ୍ୟକରଣ, ବ୍ୟବସାୟୀକରଣ , ବାସସ୍ଥାନ ନାଁରେ ଆଉ କେତେ ଗଛ କାଟିବ ମଣିଷ । ଏ ବୃଦ୍ଧା ମହିଳା କାନ୍ଦିଲା ପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପରିବେଶର ଏଭଳି ଦୁର୍ଦ୍ଦଶା ଦେଖି ଡହଳବିକଳ ହେଉଛନ୍ତି କିନ୍ତୁ କହିବେ କାହାକୁ ? ଶୁଣିବ କିଏ ?

କିନ୍ତୁ ଛତିଶଗଡ଼ର ଖୈରାଗଡ଼ ଜିଲ୍ଲାର ସାରା ଗୋଣ୍ଡି ଗାଁରେ ଲୋକମାନେ ସତର୍କ ହେଲେ । ବୁଢ଼ୀ ମାଉସୀର କାନ୍ଦ ଦେଖି ସମସ୍ତଙ୍କ ହୃଦୟ ତରଳିଲା । ଯେଉଁ ବ୍ୟକ୍ତି ଗଛ କାଟିବାରେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଉଠିଲା । ଏହି ଘଟଣା କେବଳ ମଣିଷ ଏବଂ ଗଛ ମଧ୍ୟରେ ଥିବା ସମ୍ପର୍କକୁ ଦେଖାଏ ନାହିଁ ବରଂ ଲୋଭ ଯୋଗୁଁ କେମିତି ପ୍ରକୃତିର ବିନାଶ କରିବାରେ ଲାଗିଛି ମଣିଷ ତାହା ମଧ୍ୟ ଦେଖାଉଛି ।