କନକ ବ୍ୟୁରୋ : ଭତ୍ତା ବଣ୍ଟନ ବ୍ୟବସ୍ଥାରେ ସରକାରଙ୍କ ବିଚିତ୍ର ନିୟମ । ୧୦୦୦ ବେଳେ ଜୀବିତ ଆଉ ୩୫୦୦ ବେଳେ ମୃତ । ଏକଥା ଆମେ କହୁନୁ ସରକାର କାଗଜ ପତ୍ର ବୟାନ କରୁଛି । ଜଣେ ବୃଦ୍ଧାଙ୍କ ପ୍ରକୃତ ବୟସ ଶହେ ଟପିଲେ ବି ଭୋଟର ଲିଷ୍ଟରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଯେଉଁଥିପାଇଁ ତାଙ୍କୁ ୩୫୦୦ ଟଙ୍କା ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେବାକୁ ପଡ଼ିଛି । ହେଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଖରେ ୧୦୦୦ ଟଙ୍କା ଭତ୍ତା ପାଇଁ ସେ ଜୀବିତ ଅଛନ୍ତି । ଅର୍ଥାତ ବଞ୍ଚି ଥାଉ ଥାଉ ଜଣେ ବୃଦ୍ଧାଙ୍କୁ ମୃତ ଦର୍ଶାଯାଇଥିବାରୁ ମିଳି ପାରୁନି ବର୍ଦ୍ଧିତ ଭତ୍ତା । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଟୁକୁରୀ ହାଜିରା ଗାଁରେ ।  

Advertisment

ହାତରେ ଆଧାର କାର୍ଡ ଧରି ବସିଛନ୍ତି ବୃଦ୍ଧା ଜଣକ , କିନ୍ତୁ ବଞ୍ଚି ଥାଉ ଥାଉ ସରକାରଙ୍କ ଆଗରେ ମୃତ ପାଲଟି ଯାଇଛନ୍ତି । ଯେଉଁଥିପାଇଁ ସରକାରଙ୍କ ବର୍ଦ୍ଧିତ ଭତ୍ତାରୁ ସେ ବଞ୍ଚିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗର ଏ ହେଉଛି ବିଚିତ୍ର ନିୟମ । ଭୋଟର କାର୍ଡ, ଭୋଟର ଲିଷ୍ଟ ସହ ଆଧାର କାର୍ଡରେ ବୟସ ଶହେ ହେଲାଣି ହେଲେ ଆଜି ଯାଏ ବୃଦ୍ଧାଙ୍କୁ ନୂଆ ସରକାରଙ୍କ ବର୍ଦ୍ଧିତ ୩୫୦୦ ଟଙ୍କା ଭତ୍ତା ମିଳି ପାରୁନି । ସରକାରୀ କାଗଜ ପତ୍ର କହୁଛି ୨୦୨୩ ସୁଦ୍ଧା ୯୨ ବର୍ଷ ହୋଇଛି । ହେଲେ କାହିଁକି ବର୍ଦ୍ଧିତ ଭତ୍ତା ମିଳୁନି ଏନେଇ ପରିବାର ଲୋକେ ବାରମ୍ବାର ପଞ୍ଚାୟତଠୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ଗଲେ ବି ଉତ୍ତର କାହା ପାଖରେ ନାହିଁ । ଅନ୍ୟପଟେ ପୂର୍ବ ସରକାର ସମୟରେ ୮୦ ବର୍ଷୀୟାଙ୍କୁ ବର୍ଦ୍ଧିତ ୧୨୦୦ ଟଙ୍କା ନିୟମ ଅନୁସାରେ ଲକ୍ଷ୍ମୀପ୍ରିୟାଙ୍କୁ ୨୦୨୫ ଅକ୍ଟୋବର ମାସ ପର୍ଯ୍ୟନ୍ତ ୧୨୦୦ ଟଙ୍କା ପ୍ରଦାନ କରାଯାଇଥିଲା । କିନ୍ତୁ ନୂଆ ସରକାରଙ୍କ ବର୍ଦ୍ଧିତ ଭତ୍ତା ୩୫୦୦ ବଦଳରେ ଚଳିତ ମାସରେ ତାଙ୍କୁ ୧୦୦୦ ଟଙ୍କା ପ୍ରଦାନ କରାଯାଇଛି । ଏହାକୁ ନେଇ ପରିବାର ଲୋକେ ପଚରାଉଚରା କରିବାରୁ ୨୦୨୪ ରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଭୋଟର ଲିଷ୍ଟରେ ଘୋଷଣା କରାଯାଇଛି । ଯେଉଁଥିପାଇଁ ଲକ୍ଷ୍ମୀପ୍ରିୟା ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କାରୁ ବଞ୍ଚିତ ଅଛନ୍ତି । 

ଅଧିକ ପଢ଼ନ୍ତୁ--ବନ୍ଦ ହେବ କି ରୁଷ-ୟୁକ୍ରେନ ଯୁଦ୍ଧ; ଆବୁଧାବିରେ ଚାଲିଛି ବୈଠକ

ଯଦି ଭୋଟର ଲିଷ୍ଟରେ ବୃଦ୍ଧାଙ୍କୁ ୨୦୨୪ ରେ ମୃତ ଦର୍ଶାଯାଇଛି ତା’ହେଲେ କେମିତି ୨୦୨୫ ଅକ୍ଟୋବର ମାସ ପଯ୍ୟନ୍ତ ପୂର୍ବ ସରକାରଙ୍କ ବର୍ଦ୍ଧିତ ଭତ୍ତା ହିସାବରେ ସେ ୧୨୦୦ ଟଙ୍କା ଭତ୍ତା ପାଉଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ତେବେ ବଞ୍ଚି ଥାଉ ଥାଉ ଜଣକ ପ୍ରତି ଏମିତି ଭୁଲ କେମିତି ହେଲା,ଆଉ କିଏ କଲା ଏହା ପାଇଁ ଦାୟୀ କିଏ ତାକୁ ନେଇ ପ୍ରଶ୍ନ । ନା’ ୩୫୦୦ ବେଳକୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଗଲା ଏବଂ ୧୦୦୦ ବେଳକୁ ସେ ଜୀବିତ ହୋଇଗଲେ? ଏଭଳି ପ୍ରଶ୍ନରେ ପଞ୍ଚାୟତର ନିର୍ବାହୀ ଅଧିକାରୀ କୁହନ୍ତି ଭୁଲରେ ୮୦ ବର୍ଷୀୟା ଲିଷ୍ଟରେ ତାଙ୍କ ନାମ ନ ଥିବାରୁ ତାଙ୍କୁ ବର୍ଦ୍ଧିତ ଭତ୍ତା ଦିଆଯାଉନାହିଁ କେବଳ ୬୦ ବର୍ଷୀୟ ନିୟମ ଅନୁଯାଇ ତାଙ୍କୁ ୧୦୦ ଟଙ୍କା ପ୍ରଦାନ କରାଯାଇଛି । ଏନେଇ ପରିବାର ଲୋକଙ୍କ ଅଭିଯୋଗ ଆସିବା ପରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ସରପଞ୍ଚ କହିଛନ୍ତି  ସରକାରୀ ବାବୁଙ୍କ ଖାମଖିଆଲି ନୀତି ଯୋଗୁ ବୃଦ୍ଧାଜଣକ ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି । ତେଣୁ ଖୁବଶୀଘ୍ର ପ୍ରାଶାସନିକ ସ୍ତରରେ ଏହାର ସମାଧାନ କରାଯାଇ  ତୁରନ୍ତ ବର୍ଦ୍ଧିତ ଭତ୍ତା ଟଙ୍କା ଯୋଗାଇ ଦେବାକୁ ଦାବି କରିଛନ୍ତି ।