କନକ ବ୍ୟୁରୋ: ସୀମାନ୍ତର ଲାଇଫ ଲାଇନ କୁ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା । ବିପର୍ୟ୍ୟସ୍ତ ଅବସ୍ଥାରେ ପଡ଼ି ରହିଛି ଦମୟନ୍ତୀ ସାଗର । ପୁନଃଉଦ୍ଧାର ପାଇଁ ତତକାଳନୀ ସରକାର ପ୍ରଦାନ କରିଥିଲେ ୨୨କୋଟି । କିନ୍ତୁ ଆଜି ବି ପରିସ୍ଥିତି ବଦଳିନି। ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ସେତିକି କାମ ଦେଖାଯାଉନାହିଁ ।
କୋରାପୁଟ ଜିଲ୍ଳା କୋଟପାଡ଼ ବ୍ଳକର ଦମୟନ୍ତୀ ସାଗର । ସହର ପାଖରେ ରହିଛି ୮୦ ଏକର ପରିଧିରେ ଥିବା ଏହି ସାଗର । ରାଜ ରାଜୁଡ଼ା ଅମଳରୁ ପାଣିର ସୁବିଧା ପାଇଁ ଏହି ସାଗର ଖୋଳା ଯାଇଥିଲା । ଦିନେ ଏହା ଲୋକଙ୍କ ଜୀବନ ଜୀବିକାର ଉତ୍ସ ଥିଲା । ହେଲେ ଏବେ ପାଲଟି ଯାଇଛି ଆବର୍ଜନାର ଗନ୍ତାଘର । ନାଳ ନର୍ଦ୍ଦମାରେ ପୋତି ହୋଇଗଲାଣି। ପୁରା ସାଗର ସବୁଜ ଦଳରେ ଭର୍ତ୍ତି ହୋଇଗଲାଣି ।
- ଅଧାରେ ପୁନଃରୁଦ୍ଧାର କାମ
- କେତେ ବାଟ ଗଲା ମାଷ୍ଟର ପ୍ଲାନ?
ସାଗରର ପୁନଃଉଦ୍ଧାର କରି ପର୍ୟ୍ୟଟନ ସ୍ଥଳର ମାନ୍ୟତା ଦେବା ପୂର୍ବତନ ସରକାର ୨୨କୋଟି ଟଙ୍କା ପ୍ରଦାନ କରିଥିଲେ । ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା । ସରକାର ବଦଳିଯିବା ପରେ କାମ ଅଟକି ଯାଇଛି । ଯେତିକି ଟଙ୍କା ଖର୍ଚ୍ଚ ହୋଇଛି, ସେତିକି କାମ ହୋଇନଥିବା ଅଭିଯୋଗ ହୋଇଛି । ଦଳଭର୍ତ୍ତି ଦମୟନ୍ତୀ ସାଗରର ପୁନଃଉଦ୍ଧାର ପାଇଁ କେତେ ଟଙ୍କା ଏବଂ କିପରି ଖର୍ଚ୍ଚ ହୋଇଛି ତାର ତଦନ୍ତ ହେବ ବୋଲି କହିଛନ୍ତି କୋଟପଡ଼ା ବିଧାୟକ ।
ଆଗରୁ ଜୟପୁର ସହର ସମେତ ଅନେକ ଅଂଚଳର ଶୋଷ ମେଣ୍ଟାଉଥିଲା ଏହି ସାଗର । ହେଲେ ଏବେ ସତା ହରାଇବାକୁ ବସିଛି । ତେବେ ଖରାଦିନ ପୂର୍ବରୁ ଦମୟନ୍ତୀ ସାଗରର ପୁନଃଉଦ୍ଧାର ନହେଲେ ଲୋକ ପାଣି ପାଇଁ ଅସୁବିଧା ଭୋଗିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।