କନକ ବ୍ୟୁରୋ : କଙ୍ଗାରୁ କୋର୍ଟକୁ ନେଇ ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା । ସରକାରୀ ଜାଗା ଜବରଦଖଲକୁ ନେଇ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ପୁଅ ବୋହୂ ଗାଁରୁ ବାହାରି ଯିବାପରେ ବାର ଦୁଆର ହେଉଛନ୍ତି ବୃଦ୍ଧ ବାପା ମା’। ପୁଅ ଜନ୍ମ କରି ବୟସର ଅପରାହ୍ନରେ ବେସାହାରା ବାପାମାଆ । ପାଖରୁ ପୁଅବୋହୂ ନାତୀନାତୁଣୀ ଦୂରେଇ ଯିବା ପରେ ବାରଣ୍ଡାରେ ବସି ଲୁହ ଗଡ଼ାଉଛନ୍ତି ବୃଦ୍ଧ ଦମ୍ପତି । ଏଠି ସେଠି ବସି ରାତି କାଟୁଛନ୍ତି ପଟ୍ଟାମୁଣ୍ଡାଇ ବାଲିଆ ଗାଁର ନୃସିଂହ ନାଥ ଓ ତାଙ୍କ ସ୍ତ୍ରୀ ଜାନକୀ ନାଥ । ନିଜ ନିତ୍ୟକର୍ମ କରିବାକୁ ଦେହରେ ବଳ ନାହିଁ । ଏଭଳି ସ୍ଥିତିରେ ହାତରେ ରାନ୍ଧିବାଢି ଖାଇବା ସମ୍ଭବ ନୁହେଁ । ବଡ ପୁଅ ଗାଁକୁ ଆସୁନଥିବା ବେଳେ ସାନ ପୁଅର ପାଳି ପୂରିଯାଇଛି କହି ଘରୁ ବାହାର କରିଦେଇଛି । ଏଥିପାଇଁ ପୁଅବୋହୂଙ୍କୁ ଦାୟୀ କରିବେ ନା ଗ୍ରାମବାସୀଙ୍କୁ, ନା ନିଜ କର୍ମକୁ । କିଛି ବୁଝି ପାରୁନାହାନ୍ତି ଏହି ବୃଦ୍ଧ ଦମ୍ପତି । 

Advertisment

ସରକାରୀ ଜମିରେ କେବିନ୍‌ ପକାଇବାକୁ ନେଇ ବଡ଼ ପୁଅ ଅଲେଖଙ୍କୁ ଗାଁରୁ ବାସନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଘର ଆଗରେ ଥିବା ସରକାରୀ ଜାଗାରେ ଅଲେଖ କ୍ୟାବିନ୍‌ ପକାଇ ଦୋକାନ କରିଥିଲେ । ଗାଁ ଲୋକ ବୈଠକ କରି ଠାକୁରାଣୀଙ୍କ ରୋଷେଇ ଘର କରିବାକୁ କ୍ୟାବିନ୍‌କୁ ଉଠାଇବାକୁ କହିଥିଲେ । ଅଲେଖ ସେଥିରେ ରାଜି ନହେବାରୁ ଗ୍ରାମବାସୀ ତାଙ୍କ କେବିନ୍‌କୁ ଭାଙ୍ଗି ଦେବା ସହ ଘରୁ ଲାଇନ୍‌ କାଟି ଦେଇଥିବା ଅଭିଯୋଗ ହୋଇଛି । ବଡ଼ ପୁଅ ତା’ ପରିବାରକୁ ନେଇ ବାହାରେ ରହୁଛି । ଆଉ ସାନ ପୁଅ ବୋହୂ ୨ ମାସ ଖାଇବାକୁ ଦେବା ପରେ ପାଳି ପୂରିଯିବାରୁ ଆଉ ଦେଉନାହାଁନ୍ତି । ଏପରି ସ୍ଥିତିରେ ଦୁଇ ଦୁଇଟି ପୁଅ ଜନ୍ମ ଦେଇ ନିଜ କର୍ମକୁ ନିନ୍ଦୁଛନ୍ତି ବୁଢା ବାପା ମା’।