କନକ ବ୍ୟୁରୋ : ସୋସିଆଲ୍ ମିଡିଆର ବ୍ୟବହାର ଅଧିକ ହେବା ଦିନଠୁ ପୁରୁଣା ସିନେମାର ଯେମିତି ବଲ୍ଲେ ବଲ୍ଲେ ହୋଇଯାଇଛି । ପୁରୁଣା ସିନେମାର ଗୀତ ଯାହା ଯୁବପିଢ଼ି କାନ ଉଠିଲା ଦିନୁ ଶୁଣି ନଥିବେ ସେଥିରେ ନାଚି , ଗାଇ ରିଲ୍ କରୁଛନ୍ତି । ଆଉ ସେହି ସିନେମା ଯେମିତି ନୂଆ ଜୀବନ ପାଇଯାଉଛି । ଲୋକ ସର୍ଚ୍ଚ କରି କରି ସିନେମା ଦେଖୁଛନ୍ତି ଏବଂ ସେ ସମୟର ସିନେମା ପୁଣି ଥରେ ଟ୍ରେଣ୍ଡ୍ ଲିଷ୍ଟରେ ସାମିଲ୍ ହେଉଛି । ନିକଟରେ ଏହି ଟ୍ରେଣ୍ଡରେ ସାମିଲ୍ ହୋଇଥିଲା ରି-ରିଲିଜର ଟ୍ରେଣ୍ଡ୍ । ଯେଉଁ ସିନେମାର କଣ୍ଟେଣ୍ଟ୍ ଭଲ ଥିଲା କିନ୍ତୁ ପ୍ରମୋସନ କମିବା କାରଣରୁ ଭଲ ଆୟ କରିପାରିନଥିଲା ସେ ସିନେମାକୁ ପୁଣିଥରେ ସିନେ ପରଦାକୁ ଅଣାଗଲା । ଏହି ଲିଷ୍ଟରେ ଅନେକ ସିନେମା ସାମିଲ ଥିଲା ଯେମିତିକି ଲୈଲା ମଜନୁ , ୟେ ଜୱାନି ହେ ଦିୱାନି , ଶୋଲେ , ରକ୍ ଷ୍ଟାର୍ , ସନମ୍ ତେରି କସମ୍ ଆଦି ଅନେକ । ପ୍ରଥମ ରିଲିଜରେ ଏହି ଫିଲ୍ମ ଯେତେଟା ଆୟ କରିପାରିନଥିଲା ରି-ରିଲିଜରେ ତା’ଠାରୁ ଡବଲ୍ ଆୟ କରିବା ସହ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲା । ଲୋକ ସୋସିଆଲ୍ ମିଡିଆରେ ସିନେମାର ପ୍ରମୋସନ ମଧ୍ୟ କରିଥିଲେ । ଏହାରି ଭିତରେ ଗୋଟିଏ ସିନେମା ଖୁବ୍ ଚର୍ଚ୍ଚିତ ହୋଇଥିଲା, ଯାହାର ନାଁ ଥିଲା ‘ତୁମ୍ବାଡ୍’ ।

Advertisment
Tumbbad-Re-Release
Tumbbad-Re-Release Photograph: (google)

୨୦୧୮ ରେ ରିଲିଜ୍ ହୋଇଥିବା ସୋହମ୍ ଶାହଙ୍କ ସିନେମା ‘ତୁମ୍ବାଡ୍’ ଯାହାକୁ ଭାରତୀୟ ସିନେମା ଜଗତର ବେଷ୍ଟ୍ ହରର୍ ମୁଭି ବୋଲି କୁହାଯାଏ । କିନ୍ତୁ ବିଡ଼ମ୍ବନାର ବିଷୟ ଫିଲ୍ମ ରିଲିଜ୍ ହେବା ପରେ ଏହାକୁ ଦର୍ଶକଙ୍କ ସେତେଟା ଆଦୃତ ମିଳିପାରିନଥିଲା । କିନ୍ତୁ ଯେତେବେଳେ ଏହା ରି-ରିଲିଜ୍ ହେଲା ଦର୍ଶକ ସିନେମାକୁ ଦେଖିବା ସହ ଭୁରି ଭୁରି ପ୍ରଶଂସା ମଧ୍ୟ କରିଥିଲେ । ତେବେ ବର୍ତ୍ତମାନ ଏହି ସିନେମାର ପାର୍ଟ ୨ ଅର୍ଥାତ ସିକ୍ବେଲ ଉପରେ କାମ ଆରମ୍ଭ ହୋଇଗଲାଣି । ତୁମ୍ବାଡ୍ ଯେଭଳି ଜବରଦସ୍ତ କଣ୍ଟେଣ୍ଟକୁ ନେଇ ପ୍ରସ୍ତୁତ ହୋଇଥିଲା ଏହାର ସିକ୍ବେଲ୍ ବି ସେମିତି ପାୱାରଫୁଲ୍ ହେବ ବୋଲି ଅଣ୍ଟା ଭିଡ଼ିଛନ୍ତି ସିନେ ନିର୍ମାତା । ପ୍ରଥମ ସିନେମାଟି ମାତ୍ର ୧୫ କୋଟି ଟଙ୍କାରେ ପ୍ରସ୍ତୁତ ହୋଇଥିବା ବେଳେ ଏହାର ସିକ୍ବେଲ୍ ୧୫୦ କୋଟି ଟଙ୍କାର ହେବ ବୋଲି ବଜେଟ୍ କରାଯାଇଛି । ପ୍ରଥମ ସିନେମାଟି ବକ୍ସ ଅଫିସରେ ସୁପର୍ ଫ୍ଲପ୍ ରହିବା ପରେ ମେକର୍ସ ଏହାକୁ ପୁଣିଥରେ ୨୦୨୪ ରେ ରି-ରିଲିଜ୍ କରିଥିଲେ । ୬ ବର୍ଷ ତଳେ ଯେଉଁ ସିନେମାକୁ ଦେଖିବା ପାଇଁ ଦର୍ଶକ ପ୍ରେକ୍ଷାଳୟ ଆସିନଥିଲେ ୬ ବର୍ଷ ପରେ ଦଳ ଦଳ ହୋଇ ସିନେପ୍ରେମୀ ହଲକୁ ଆସି ସେହି ସିନେମା ଦେଖିଥିଲେ ଏବଂ ଫିଲ୍ମଟି ରେକର୍ଡ ଭାଙ୍ଗିଥିଲା । ରି-ରିଲିଜ୍ ହେବା ପରେ ଏହି ସିନେମା ଓପନିଙ୍ଗ୍ ୱିକେଣ୍ଡରେ ୭.୮୪ କୋଟି ଟଙ୍କାର ଆୟ କରିଥିଲା । ମୋଟ ଆୟ କଥା ଯଦି କହିବା ତେବେ ରି-ରିଲିଜରେ ତୁମ୍ବାଡ୍ ୫୦ କୋଟି ଟଙ୍କା ଆୟ କରିଥିଲା । ତେବେ ବର୍ତ୍ତମାନ ସିନେମାର ଷ୍ଟୋରି ଉପରେ କାମ ଚାଲିଛି ଏବଂ ଆସନ୍ତାବର୍ଷ ସୁଟିଂ କାମ ଆରମ୍ଭ କରାଯିବ ବୋଲି ସୂଚନା ମିଳୁଛି ।