କନକ ବ୍ୟୁରୋ: ଆବାସ ପାଲଟିଛି ସାତ ସପନ। ଭଙ୍ଗା ଦଦରା କାନ୍ଥ ଆଉ ମୁଣ୍ଡ ଉପରେ ଚିରା ପଲିଥିନ୍ । ଏଭଳି ଅସହାୟ ହୋଇ ଦିନ କାଟୁଛନ୍ତି କେନ୍ଦୁଝର ହାଟଡିହି ବ୍ଲକ ଶାଳଣିଆଁ ଗାଁର ବୃଦ୍ଧା ଜାନକୀ ରଣା । 

Advertisment

ଦିନେ ସ୍ୱାମୀ, ଦୁଇ ଝିଅ, ପୁଅ ଟିଏକୁ ନେଇ ସୁଖରେ କଟୁଥିଲା ତାଙ୍କ ଦିନ। ଦୁଇ ଝିଅ ବାହା ହୋଇ ଚାଲିଗଲେ। ପୁଅ କାମ କରିବାକୁ ବିଦେଶକୁ ଚାଲିଗଲା । କରୋନା ସମୟରେ ସ୍ୱାମୀ ହାତଛାଡି ଆରପାରିକୁ ଚାଲିଗଲେ। ବାପା ସୁଦ୍ଧି କାମ କରିବାକୁ ବି ଆସିଲାନି ପୁଅ । ଗାଁ ଲୋକଙ୍କ ସାହାଯ୍ୟରେ ସ୍ୱାମୀଙ୍କ ଶେଷକୃତ୍ୟ କଲେ। ଆଉ ସେବେଠାରୁ ଏକାକୀ ହୋଇ କଟୁଛି ଜାନକୀଙ୍କ ଜୀବନ । ମୁଣ୍ଡ ଉପରେ ଯେଉଁ ଝାଟି, ମାଟିର ଘର ଥିଲା ତାହାବି ଭାଙ୍ଗି ନଷ୍ଟ ହୋଇଗଲାଣି । ଆବାସ ଟିଏ ପାଇଁ ପ୍ରଶାସନକୁ ଗୁହାରି କରିଥିଲେ। ପୂର୍ବରୁ ପ୍ରଶାସନ ପକ୍ଷରୁ ଜାନକୀଙ୍କୁ ପଲିଥିନ ଖଣ୍ଡେ ଯୋଗାଇ ଦିଆଯାଇଥିଲା । ଆଗରୁ ଥିବା ହାଟଡିହି ବିଡିଓ ଜାନକୀଙ୍କ ଘର ସ୍ଥିତି ଦେଖି ତାଙ୍କୁ ଆବାସ ଯୋଜନାରେ ଗୃହଟିଏ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସବୁ ପ୍ରତିଶ୍ରୁତି ପାଣିରେ ଗାର ଭଳି ମନେ ହୋଇଛି । 

କନକ ନ୍ୟୁଜ ଜାନକୀଙ୍କ ଅସହାୟତାକୁ ନେଇ ପ୍ରଶାସନଙ୍କୁ ପୁଣିଥରେ ଜଣାଇଥିଲେ। ଆଉ ତାଙ୍କୁ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ହାଟଡିହି ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ।