କନକ ବ୍ୟୁରୋ: ବୟସ ୮୦ ହେଲାଣି । ଚମ ଧୁଡୁଧୁଡୁ ଶରୀର ସାହାରା ଖୋଜିଲାଣି । ବୟସର ସୂର୍ୟ୍ୟାସ୍ତ ସମୟରେ ଆଦିବାସୀ ବୃଦ୍ଧାଙ୍କ ଭତ୍ତାରେ ବାଧକ ହୋଇଛି ଆଧାରକାର୍ଡ । ସରକାର କହୁଛନ୍ତି, ଆଧାର ଲିଙ୍କ ନହେଲେ ଭତ୍ତା ମିଳିବ ନାହିଁ । ଏପଟେ କୋରାପୁଟ ବୈପାରିଗୁଡା ସଦର ପଞ୍ଚାୟତ ସନ୍ତେଇପୁଟ ଗାଁର କମଳା ମାଝୀଙ୍କ ଆଧାରକାର୍ଡ ହୋଇପାରୁନାହିଁ । ଏ ଆଖି ଡୋଳା ସ୍କାନ ହେଉନି, ମେସିନ୍ ଟିପ ଚିହ୍ନ ନେଉନି । ତେଣୁ ଆଦିବାସୀ ବୃଦ୍ଧାଙ୍କ ଭତ୍ତା ଅଟକାଇ ଦେଇଛି ଆଧାର । ଏ ବୟସରେ ୩-୪ ଥର ଆଧାର ସେଣ୍ଟର ଗଲେଣି, ଆଉ ଯାଇ ହେବନି । ତେଣୁ ସରକାରଙ୍କ ଦୁଃଖ ବୁଝି ଭତ୍ତା ଗଣ୍ଡାକ କରାଇଦିବାକୁ ଗୁହାରୀ କରିଛନ୍ତି ।
ବଲାଙ୍ଗୀର ସଇଁତଳା ପଞ୍ଚାୟତ କନ୍ଧେନବାହାଲ ଗାଁର ଅଷ୍ଟମୀ କଅଁର । ଆଧାରକାର୍ଡ, ଭୋଟରକାର୍ଡ ଓ ଭତ୍ତା ଖାତା ଅନୁସାରେ ତାଙ୍କ ଜନ୍ମ ୧୯୨୪ ମସିହାରେ । ଏବେ ସେ ଶତାୟୁ ବୃଦ୍ଧା । ସରକାରଙ୍କ ନୂଆ ନିୟମ ଅନୁସାରେ ତାଙ୍କୁ ୩ ହଜାର ୫୦୦ ଟଙ୍କା ଭତ୍ତା ମିଳିବା କଥା, ହେଲେ ଏ ମାସ ପଞ୍ଚାୟତ ପକ୍ଷରୁ ଅଷ୍ଟମୀଙ୍କୁ ହଜାରେ ଟଙ୍କା ଦିଆଯାଇଛି । ପଚାରିବାରୁ ଜଣାପଡ଼ିଲା, ନୂଆ ତାଲିକାରେ ତାଙ୍କ ନାଁ ନାହିଁ। ଅଷ୍ଟମୀ ହେଉଛନ୍ତି ଗୋଟିଏ ଉଦାହରଣ। ସଇଁତଳାରେ ପ୍ରାୟ ୨୩୦ ଜଣ ବୃଦ୍ଧବୃଦ୍ଧା ବର୍ଦ୍ଧିତ ଭତ୍ତାରୁ ବଂଚିତ ହୋଇଛନ୍ତି।
ରାଜ୍ୟ ସରକାର ଚଳିତ ମାସରୁ ୮୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ୩୫ଶହ ଟଙ୍କା ଭତ୍ତା ଦେଉଛନ୍ତି । କିନ୍ତୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶହଶହ ବୟସ୍କ ବ୍ୟକ୍ତି ଏହାର ସୁଫଳ ପାଉନାହାନ୍ତି। ବଲାଙ୍ଗିର ସଇଁତଳା ବ୍ଲକର ୧୩୦ ଜଣ ଭତ୍ତାରୁ ବଞ୍ଚିତ ହୋଇଛନ୍ତି । ସେପଟେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରୁ ମଧ୍ୟ ଆସିଛି ସେଇ ସମାନ ଅଭିଯୋଗ।
ଆଧାର ଅବ୍ୟବସ୍ଥାର ଏହି ଅଭିଯୋଗ କେବଳ ଗୋଟିଏ ଦୁଇଟି ଜିଲ୍ଲାରେ ନୁହେଁ, ସମଗ୍ର ରାଜ୍ୟରେ ରହିଛି । ବୟସାଧିକ କାରଣରୁ ଆଧାର ହେଇପାରୁନଥିବା ହିତାଧିକାରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/01/23/bteaRtQmjmLHJhBQ0MuM.jpg)