କନକ ବ୍ୟୁରୋ: ଗଛମୂଳେ, ଖୋଲା ଆକାଶ ତଳେ ପଡିରହିଛି ବହୁ ପୂରାତନ କୀର୍ତ୍ତିରାଜୀ । କିଛି କୀର୍ତ୍ତିରାଜୀକୁ ଲୋକେ ଉଦ୍ଧାର କରି ପୂଜାର୍ଚ୍ଚନା କରୁଥିବା ବେଳେ ଅନେକ ମାଟି ତଳେ ପୋତି ହୋଇ ରହିଛି । ରକ୍ଷଣାବେକ୍ଷଣ ଅଭାବରୁ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ଗୁଡିକ ଧୀରେ ଧୀରେ ବିଲୁପ୍ତ ହବାରେ ଲାଗିଛି ।
କାହିଁ କେଉଁ କାଳରୁ ଘଞ୍ଚ ଜଙ୍ଗଲରେ ଗଛମୂଳେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ହଜାର ହଜାର ବର୍ଷର ପୁରୁଣା କୀର୍ତିରାଜୀ। କିଛି ମାଟି ତଳେ ପୋତି ହୋଇରହିଛି। ବିଲୁପ୍ତ ଅବସ୍ଥାରେ ଥିବା ଏହି କିର୍ତ୍ତୀରାଜି ପଚଂମ ଶତାଦ୍ଧୀର ବୋଲି କୁହାଯାଉଛି। ୨୦୧୭ରେ ତତ୍କାଳୀନ ଜିଲ୍ଲାପାଳ ଗୁହା ପୂନମ ତାପସ କୁମାର କିଛି ମୂର୍ତ୍ତିକୁ ଉଦ୍ଧାର କରିଥିଲେ। ତା ପରଠାରୁ ଆଉ ଉଦ୍ୟମ ହୋଇନାହିଁ, କି ମାଟି ତଳେ ପୋତିହୋଇ ରହିଥିବା ଦୁର୍ଲଭ ମୁଲ୍ୟବାନ ପଥର ଖୋଦିତ ମୂର୍ତ୍ତିର ଉଦ୍ଧାର ପାଇଁ ପ୍ରତ୍ନତତ୍ୱ ବିଭାଗ କୌଣସି ପଦକ୍ଷେପ ନେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ରାୟଗଡା କୋଲନରା ବ୍ଳକ ମୁକୁନ୍ଦପୁର ପଚାଂୟତ ଅନ୍ତର୍ଗତ ହାତୀଖମ୍ବ ଜଙ୍ଗଲରେ ରହିଛି ଦୁଇଟି ମନ୍ଦିର। ଶିବ ମନ୍ଦିରଟି କାରୁକାର୍ଯ୍ୟ ବିହୀନ ଥିବା ବେଳେ ବିଷ୍ଣୁ ମନ୍ଦିରଟି କାରୁକାର୍ଯ୍ୟ ପୂର୍ଣ୍ଣ। ୨୦୧୨-୧୩ରେ ନର୍ସରି କାମ ଚାଲିଥିବା ବେଳେ ଶିବ ମନ୍ଦିରର ଭଗ୍ନାବଶେଷ ମିଳିଥିଲା। ଶିବ ମନ୍ଦିରରୁ ମହାଦେବଙ୍କ ଲିଙ୍ଗ ଚୋରୀ ହୋଇଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । କୁହାଯାଏ ରାଜା ମୁକୁନ୍ଦ ଦେବ ସେତେବେଳେ ଏକ ମନ୍ଦିର ନିର୍ମାଣ ପାଇଁ ହାତୀ ସାହାଯ୍ୟରେ କୀର୍ତ୍ତୀରାଜିକୁ ଏଠାକୁ ଆଣିଥିଲେ । ତେଣୁ ରାଜାଙ୍କ ନାମ ଅନୁସାରେ ମୁକୁନ୍ଦପୁର ପଚାଂୟତ ଓ ହାତୀରେ ଅଣାଯାଇଥିବାରୁ ସ୍ଥାନର ନାମ ହାତୀଖମ୍ବ ରଖାଯାଇଛି ।
ରାଜ୍ୟ ସଂସ୍କୃତି ବିଭାଗ ଏଥିପ୍ରତି ଯତ୍ନବାନ ହୋଇ ସଂରକ୍ଷଣ କରାଗଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରନ୍ତା ହାତୀଖମ୍ବ ଜଙ୍ଗଲ । ଅନେକ ଐତିହାସିକ ରୋଚକ ତଥ୍ୟ ଲୋକ ଲୋଚନକୁ ଆସିପାରନ୍ତା । କିନ୍ତୁ ବିଡମ୍ବନାର ବିଷୟ ବର୍ତମାନ ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ ଏହି ସ୍ଥାନ ସଂପର୍କରେ ଅବଗତ ନୁହେଁ।