କନକ ବ୍ୟୁରୋ: ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଖଣ୍ଡିଏ ନାହିଁ । ଦିନେ କି ଦୁଇ ଦିନ ନୁହେଁ ୨୦ ବର୍ଷରୁ ଅଧିକ ଦିନ ହେଲା ଛିଣ୍ଡା ଦଦରା ପଲିଥିନ ଟାଣି ମୁଣ୍ଡ ଗୁଞ୍ଜିଛନ୍ତି ୩ ପ୍ରାଣୀ କୁଟୁମ୍ବ । ହାଡଭଙ୍ଗା ଶୀତରେ ଛିଣ୍ଡା ପଲିଥିନ ତଳେ ଜୀବନ ଅତି ଦୁର୍ବସହ ହୋଇପଡୁଛି । ହେଲେ ପଲିଥିନ୍ ତଳ ଯନ୍ତ୍ରଣା ଦାୟକ ଜୀବନ ଜୀଉଁଛନ୍ତି ବୃଦ୍ଧା ମିଲାପ ବାଇ ଓ ତାଙ୍କ ପରିବାର । କଳାହାଣ୍ଡି ଜୟପାଟଣାରେ ଥିବା ଆରଏମସି ପଡିଆରେ ପଲିଥିନ ତଳେ ଜୀବନ ବିତାଉଛନ୍ତି ୭୭ ବର୍ଷିୟ ମିଲାପ ବାଇଙ୍କ ପରିବାର । ଖରା, ବର୍ଷା, ଶୀତ ସବୁ ଏଇଠି ବିତୁଛି । ଗରିବଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର କରିଥିବା ଯୋଜନା ଏମାନଙ୍କ ପାଇଁ ଯେମିତି ସାତ ସପନ ପାଲଟିଛି ।
ମିଲାପଙ୍କ ନିଜର ଘରଡିହ ଖଣ୍ଡେ ନଥିବାରୁ ସରକାରୀ ଘରଖଣ୍ଡେ ମଧ୍ୟ ମିଳିପାରୁନାହିଁ । ଫଳରେ ବର୍ଷା ଶୀତରେ ବି ଏମିତି କଷ୍ଟସାଧ୍ୟ ଜୀବନ କାଟୁଛନ୍ତି । ସେପଟେ ସରକାରୀ ସହାୟତା କହିଲେ କେବଳ ମିଲାପ ବାଇଙ୍କୁ ମିଳୁଥିବା ୫ କେଜି ଚାଉଳ ଓ କିଛି ଭତ୍ତା । ପୁଅ ଓ ନାତିଙ୍କ ଆଧାର କାର୍ଡ ଜୟପାଟଣା ବାସିନ୍ଦା ହିସାବରେ ହୋଇପାରୁନଥିବାରୁ ସେମାନେ ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି । ସେହିଭଳି ମିଳୁଥିବା ୫ କୋଜି ଚାଉଳ ସେମାନଙ୍କୁ ପାଇଁ ସମୁଦ୍ରଙ୍କୁ ଶଙ୍ଖେ ଭଳି ।
ଅସହାୟ ଅବସ୍ଥାରେ ରହୁଥିବା ମିଲାପଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ସହଯୋଗ କରାଯିବା ସହ ଘର ଖଣ୍ଡିଏ ଯୋଗାଯାଇପାରିଲେ ସେମାନେ ଉପକୃତ ହୋଇପାରିବେ ।