କନକବ୍ୟୁରୋ : କଠୋର ପ୍ରଶାସନ ପାଖରେ ବଣ୍ତା ବୃଦ୍ଧଙ୍କ ଗୁହାରି। ବହୁତ ହୋଇଗଲା, ଆଉ ଦୌଉଡି ପାରୁନି । ପାହାଡ଼ରୁ ବ୍ଲକ ଅଫିସ ଆସିବାକୁ ଆଉ ଦେହରେ ଆଉ ବଳ ନାହିଁ। ବାର୍ଦ୍ଧକ୍ୟ ଭତା ପାଇଁ ପଞ୍ଚାୟତ ଅଫିସରୁ ବ୍ଲକ ଅଫିସ ଧାଇଁ ଧାଇଁ ନୟାନ୍ତ ହେଲେଣି ବଣ୍ତାଘାଟିର ଭିନ୍ନକ୍ଷମ ବୃଦ୍ଧ ସୋମା କିର୍ଷାନୀ । ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତାଘାଟି ପଡେଇଗୁଡା ଗାଁର ବାସିନ୍ଦା ସୋମା। ବୟସ ପାଖାପାଖ ୮୦ କି ୮୫।
ପିଲାଟି ଦିନରୁ ଶାରୀରିକ ଭିନ୍ନକ୍ଷମ। କିନ୍ତୁ ଆଧାର କାର୍ଡ ନାହିଁ ବୋଲି ଭତ୍ତା କାଟି ଦେଇଛନ୍ତି ସରକାରୀ ବାବୁ। ମାସେ କି ୨ ମାସର ନୁହେଁ, ୨ବର୍ଷ ହେବ ଭତ୍ତା ପାଇନାହାନ୍ତି । ସେଥିପାଇଁ ପ୍ରତିଦିନ ଭଣଜାକୁ ଧରି ବ୍ଲକ ଅଫିସକୁ ଆସୁଛନ୍ତି । ବାବୁଙ୍କୁ ଭେଟି ଗୁହାରି କରୁଛନ୍ତି । ଏପଟେ ସୋମାଙ୍କ କଥା ଗଣମାଧ୍ୟମରୁ ଶୁଣି ତୁରନ୍ତ କରିଦେବୁ ବୋଲି କହିଛନ୍ତି ଖଇରପୁଟ ବିଏସ୍ଏସ୍ଓ । ଖାଲି ସୋମା ନୁହଁନ୍ତି, ଅଧିକାଂଶ ବୟସ୍କ ଲୋକଙ୍କ କାଗଜପତ୍ର ଠିକ ନଥିବା କହି ପ୍ରଶାସନ ଭତ୍ତା ବନ୍ଦ କରିବାର ନଜର ରହିଛି। ସରକାରଙ୍କ ଅର୍ଥକୁ ନିରୀହ ମଣିଷଙ୍କୁ ଦେବାକୁ ପ୍ରଶାସନ କାହିଁକି କଠୋର ବୋଲି ପ୍ରଶ୍ନ ଉଠିଛି ।