ଓଲା ଇଲେକ୍ଟ୍ରିକ୍ ନାମ ଶୁଣି ଆପଣଙ୍କ ମନରେ ପ୍ରଥମ ପ୍ରଶ୍ନ କ’ଣ ଆସେ ? ଆମେ ଜାଣିଛୁ ଆଜ୍ଞା ପ୍ରଶ୍ନ ଶେଷ ନ ହେଉଣୁ ଆପଣ ଉତ୍ତର ଭାବିସାରିଥିବେ । ଏହା ଏକ ଭାରତୀୟ କମ୍ପାନୀ ଯିଏ ଇ-ସ୍କୁଟର୍ , ଇ-ବାଇକ୍ ତିଆରି କରେ । ମାର୍କେଟର ସବୁଠୁ ବଡ଼ ସେୟାର୍ ଏହି ଇଲେକ୍ଟ୍ରି ଗାଡ଼ିର ଚକାରେ ଚାଲୁଛି । ଏ ତ ହେଲା ଗାଡ଼ି କିଣିନଥିବା ଲୋକଙ୍କ କଥା । କିନ୍ତୁ ଯେଉଁମାନେ ଲକ୍ଷାଧିକ ଟଙ୍କା ଦେଇ ଓଲା ସ୍କୁଟର ଚଲାଉଛନ୍ତି ସେମାନଙ୍କର ମନର ବ୍ୟଥା ନ କହିଲେ ସରେ ଆଜ୍ଞା । ଏମିତି ଅନେକ ଓଲା ସ୍କୁଟର ଗ୍ରାହକ ଅଛନ୍ତି ଯେଉଁମାନଙ୍କ ଅସୁବିଧା ଆପଣ ପ୍ରତିଦିନ ଦେଖୁଥିବେ । କିନ୍ତୁ ଏବେ ରିପୋର୍ଟ ମଧ୍ୟ ଆସିଯାଇଛି । ଓଲା ଇଲେକ୍ଟ୍ରିକ୍ ସ୍କୁଟର ଖରାପ ହେବାର ନମ୍ବର ୮୦ ହଜାର ପାର୍ କରିସାରିଛି । ଏହି ରିପୋର୍ଟ ବିକ୍ରି ହୋଇଥିବା ମୋଟ ସ୍କୁଟରର , ଗତବର୍ଷର କିମ୍ବା ବର୍ଷକର ନୁହଁ ଆଜ୍ଞା । ରିପୋର୍ଟଟି ମାତ୍ର ମାସକର ନମ୍ବରକୁ ଦର୍ଶାଇଛି । ଏହା ପରଠୁ ଇ-ସ୍କୁଟରର ବିକ୍ରି ଉପରେ ମଧ୍ୟ ବଡ଼ଧରଣର ବ୍ରେକ୍ ଲାଗିଛି । 

Advertisment

Scooter

ଇଂରାଜୀ ଖବରକାଗଜ ମିଣ୍ଟର ରିପୋର୍ଟ ଅନୁସାରେ , ଓଲା ଇଲେକ୍ଟ୍ରିକ୍ ର ଖରାପ ହେବାର ନମ୍ବର ୮୦ ହଜାର ପାର୍ କରିସାରିଛି । ଅନେକ ସର୍ଭିସ୍ ସେଣ୍ଟରରେ ପ୍ରତିଦିନ ୬ ରୁ ୭ ହଜାର ସ୍କୁଟର ମରାମତି ହେବାକୁ ଆସୁଛି । କାମ ଏତେ ବଢୁଛି ଯେ ସର୍ଭିସ୍ ଟିମ୍ ନାକେଦମ୍ ହେଉଛନ୍ତି । ଏଥିପାଇଁ କମ୍ପାନୀ ମଧ୍ୟ ଏକ ନୂଆ ସର୍ଭିସ୍ ଟିମ୍ ପ୍ରସ୍ତୁତ କରିଛି , ଏହି ଟିମ୍ ସର୍ଭିସ୍ କେମିତି ଚାଲିଛି ନଜର ରଖିବେ । ଖରାପ ସର୍ଭିସ୍ ପାଇଁ କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡୁଛି । ଅଗଷ୍ଟ ମାସ ତ କମ୍ପାନୀର ଇତିହାସରେ ଯେମିତି କଳାମାସ ସାବ୍ୟସ୍ତ ହୋଇଛି । ଏହି ମାସରେ କମ୍ପାନୀ ୨୭,୫୦୬ ଟି ସ୍କୁଟର ବିକ୍ରି କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଜୁଲାଇ ମାସ ଠାରୁ ୩୪ % କମ୍ । ଇ-ସ୍କୁଟର ମାର୍କେଟରେ କମ୍ପାନୀର ଭାଗିଦାରୀ ୩୯ % ରୁ ଖସି ୩୧ % କୁ ଚାଲିଆସିଛି । 

Ola Scooter
୮୦ ହଜାର ନମ୍ବର ଶୁଣି ଆପଣଙ୍କୁ ଲାଗୁଥିବ ଯେ ଏତେ ବଡ଼ କମ୍ପାନୀ , ମ୍ୟାନେଜ୍ କରିନେବ । ତେବେ ଆପଣଙ୍କୁ କହିରଖୁଛୁ ରିପୋର୍ଟ ଅନୁସାରେ , ଆଜି ପର୍ଯ୍ୟନ୍ତ କମ୍ପାନୀ ୬ ଲକ୍ଷ ୮୦ ହଜାର ସ୍କୁଟର ବିକ୍ରି କରିଛି । ଏହି ହିସାବରେ ୧୨ % ସ୍କୁଟର୍ ତ ସର୍ଭିସ୍ ସେଣ୍ଟରର କୋଣରେ ହିଁ ପଡ଼ିଛି । ୪୩୦ ସର୍ଭିସ୍ ସେଣ୍ଟରରେ ଏହି ସ୍କୁଟରର ମରାମତି କାମ ଚାଲୁ ରହିଛି । ଏତେ ସେଣ୍ଟର ଥାଇ ବି କାମ କାହିଁକି କ୍ଷିପ୍ର ଚାଲିଛି ପ୍ରଶ୍ନର ଉତ୍ତର ହେଉଛି ସ୍ପେୟାର୍ ପାର୍ଟସ୍ । ୨ ଦିନ କି ସପ୍ତାହ ନୁହଁ ଆଜ୍ଞା ମାସ ମାସ ଧରି ସ୍ପେୟାର୍ ପାର୍ଟସ୍ ମିଳିବାରେ ଅସୁବିଧା ହେଉଛି । ଜଣେ ପ୍ରସିଦ୍ଧ ୟୁଟ୍ୟୁବର୍ ନିଜ ଅଙ୍ଗେନିଭା ଅସୁବିଧା କଥା କହିଥିଲେ , ଯେ ବାରମ୍ବାର ମେଲ୍ କରିବା ପରେ ହିଁ ସ୍ପେୟାର୍ ପାର୍ଟସ୍ ମିଳିଥିଲା । ଏହା ସହ ବ୍ୟାଟେରୀ ଡେଡ୍ , ଅଧାବାଟରେ ଆପ୍ କ୍ରାସ୍ ହେବା, ରିୟର୍ ହ୍ୱିଲ୍ ବ୍ଲକ୍ ହେବା ଭଳି ଅସୁବିଧା ମଧ୍ୟ ଦେଖାଯାଉଛି । ଏହି ପୁରା ପ୍ରସଙ୍ଗରେ ଓଲା ସମେତ ଇଲେକ୍ଟ୍ରିକ୍ ସ୍କୁଟର୍ କମ୍ପାନୀଙ୍କୁ ଜବାବ୍ ମାଗିଛନ୍ତି ରିପୋର୍ଟ ବାହାର କରିଥିବା ସଂସ୍ଥା । 

ଆପଣଙ୍କୁ ମନେ ଥିବ କିଛି ଦିନ ତଳେ ସୋସିଆଲ୍ ମିଡ଼ିଆରେ ଓଲା ଇଲେକ୍ଟ୍ରିକ୍ ସ୍କୁଟର କିଣିଥିବା ସାଗର ସିଂ ନାମକ ଜଣେ ବ୍ୟକ୍ତି କିଭଳି ଭାବେ ବଲିଉଡ୍ ଗୀତ ଗାଇ ଓଲା ଶୋ’ ରୁମ୍ ଆଗରେ ପ୍ରତିବାଦ କରିଥିଲେ । ଟ୍ରଲିରେ ଇ-ସ୍କୁଟର ବାନ୍ଧି , ଫୁଲମାଳ ପକାଇ , ମାଇକରେ ଗୀତ ଗାଇ ଗାଇ ସ୍କୁଟରକୁ ନେଇ ଶୋ’ରୁମ୍ ଆଗରେ ରଖି ପ୍ରତିବାଦ କରିଥିଲେ । ଇ-ସ୍କୁଟର କିଣିବାର କିଛି ମାସ ପରେ ହିଁ ଅସୁବିଧା ଆରମ୍ଭ ହୋଇଯାଇଥିଲା । କମ୍ପାନୀ ଅଫର୍ ସେଲ୍ସ ସର୍ଭିସ୍ ମଧ୍ୟ ଭଲରେ ଦେଉନଥିଲା । ଯେଉଁଥିପାଇଁ ବ୍ୟକ୍ତିଜଣକ ଏଭଳି ନିଆରା ପ୍ରତିବାଦ କରି ଚର୍ଚ୍ଚାକୁ ଆସିଥିଲେ । ଏଭଳି ଅନେକ ଗ୍ରାହକ ଅଛନ୍ତି ଯେଉଁମାନଙ୍କ ଅଙ୍ଗେନିଭା କଥା କହିଲେ ସରିବନି । ତେବେ ଆପଣଙ୍କ ପାଖରେ ଇ-ସ୍କୁଟର୍ ଅଛି କି? କେମିତି ରହିଛି ଆପଣଙ୍କ ଅନୁଭୂତି?