କନକ ବ୍ୟୁରୋ : ତୁର୍କୀର ଇସ୍ତାନବୁଲରେ ଆୟୋଜିତ ଇସଲାମିକ ସହଯୋଗ ସଂଗଠନ ବା ଓଆଇସିର ଦୁଇଦିନିଆ ବୈଠକ ପୁଣିଥିରେ ପାକିସ୍ତାନର ଦକ୍ଷତାପୂର୍ଣ୍ଣ କୂଟନୈତିକ ମଞ୍ଚ ହୋଇଛି । ୫୭ ମୁସଲିମ୍ ଦେଶର ସଂଗଠନ ଓଆଇସିର ବିଦେଶମନ୍ତ୍ରୀଙ୍କ ପରିଷଦ ବୈଠକରେ ମିଳିତ ଭାବେ ଯେଉଁ ବୟାନ ଜାରି କରିଛନ୍ତି ତାହା ଭାରତ ପାଇଁ ଚିନ୍ତାର ବିଷୟ । ପେହଲଗାମ ଆକ୍ରମଣକୁ ନେଇ ଭାରତ ଯେଉଁ ସିନ୍ଧୂ ଜଳ ଚୁକ୍ତି ବାତିଲ କରିଛି ତାହାକୁ ପୁଣି କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି । ଏହାସହ ଭାରତ ପାକିସ୍ତାନ ପ୍ରତି ଯେଭଳି ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଲା ଓ କାଶ୍ମୀର ନୀତିକୁ ନେଇ ପାକିସ୍ତାନର ନୀତିକୁ ଏହି ସଂଗଠନ ପୂର୍ଣ୍ଣ ସମର୍ଥନ କରିଛି । ଏହାସହ ଭାରତକୁ ସଞ୍ଜମତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।
ବୈଠକ ପରେ ଜାରି ମିଳିତ ବୟାନରେ କୁହାଯାଇଛି କି, ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିକୁ ଉଭୟ ପକ୍ଷ ସଠିକ୍ ଢଙ୍ଗରେ ପାଳନ କରିବା ଉଚିତ୍ । ଅର୍ଥାତ ଏହି ଐତିହାସିକ ଚୁକ୍ତିକୁ କୌଣସି ପରିସ୍ଥିତିରେ ଉଲ୍ଲଘଂନ କରିବା ଉଚିତ ନୁହେଁ ବୋଲି ସଂଗଠନ ପରାମର୍ଶ ଦେଇଛି ।
କେବଳ ସେତିକି ନୁହେଁ ବୟାନରେ ଦକ୍ଷିଣ ଏସିଆରେ ବଢୁଥିବା ସୈନ୍ୟ ଗତିବିଧିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । କୁହାଯାଇଛି କି, ଭାରତ ଯେଭଳି ଭାବେ ପାକିସ୍ତାନ ଭିତରେ ପ୍ରବେଶ କରି ଆକ୍ରମଣ କଲା ତାହା ଫଳରେ କ୍ଷେତ୍ରୀୟ ଅସ୍ଥିରତା ବୃଦ୍ଧି ପାଉଛି । ସଂଗଠନ ଉଭୟ ପକ୍ଷକୁ ଉତ୍ତେଜିତ ନହୋଇ ସଞ୍ଜମତାର ସହ ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଇଛି । ଏସବୁ ବିଶେଷ କରି ଭାରତକୁ ନଜର କରି କୁହାଯାଇଥିବା ଅନୁମାନ କରାଯାଉଛି । କାରଣ ପାକିସ୍ତାନ ଓଆଇସିର ସ୍ଥାୟୀ ସଦସ୍ୟ ।
ଓଆଇସି ଦ୍ୱାରା ଜାରି କରାଯାଇଥିବା ଏହି ବୟାନ ଏବେ ଭାରତ ପାଇଁ ରାଜନୈତିକ ରୂପରେ ଅସହଜ କରିବା ଭଳି । ଭାରତ ଯେତେବେଳେ ବିଶ୍ୱ ମଞ୍ଚରେ ନିଜକୁ ବିଶ୍ୱ ନେତା ଭାବେ ପ୍ରତିପାଦିତ କରୁଛି ସେଭଳି ସ୍ଥଳେ ଓଆଇସି ଭଳି ସଂଗଠନ ପାକିସ୍ତାନର ଆତଙ୍କବାଦ ନୀତିକୁ ସମର୍ଥନ କରି ଭାରତକୁ କଟାକ୍ଷ କରିବା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି ।