କନକ ବ୍ୟୁରୋ : ନୂଆ ନୂଆ ତାରିଖ ବଦଳୁଛି । କିନ୍ତୁ ସରକାରୀ ବାବୁ ଶୁଣିବାକୁ ନାରାଜ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି, ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ପାଇଁ କାମ କର । କିନ୍ତୁ ଲୋକଙ୍କ ସରକାରରେ ଲୋକଙ୍କ ପାଖକୁ ଯିବାକୁ କୁଣ୍ଠା କରୁଛନ୍ତି ବଡ଼ ବଡ଼ ଅଧିକାରୀ ।
ଗାଁରେ ପହଞ୍ଚିବ ପ୍ରଶାସନ । କିଛି ଏଭଳି ଆଭିମୁଖ୍ୟ ସହ ସଚିବ ମାନଙ୍କୁ ଗ୍ରାଉଣ୍ଡରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଉଛନ୍ତି ବେପରୁଆ ବାବୁ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଚିଠିରେ ତାରିଖ ବଦଳୁଛି, କିନ୍ତୁ ବାବୁଙ୍କ ମୁଡ୍ ବଦଳୁନି । ବାରମ୍ବାର ଚିଠି ପରେ ମଧ୍ୟ ନିର୍ଦ୍ଦିଷ୍ଟ କିଛି ବାବୁଙ୍କୁ ଛାଡିଦେଲେ ଅନେକ ସଚିବ ସହର ପ୍ରେମ ଛାଡି ପାରୁନାହାନ୍ତି । ଲୋକସେବା ଭବନ ମୋହ ଏତେ ଘାରିଛି ଯେ, ଲୋକଙ୍କ ପାଖରେ ପହଞ୍ଚିବାକୁ ଉଚିତ୍ ମଣୁନାହାନ୍ତି ବାବୁ ।
ଲୋକଙ୍କ ସରକାର ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ସଚିବଙ୍କୁ ଟାସ୍କ ଦିଆଯାଇଛି । ୨ ମାସକୁ ଥରେ ଦାୟିତ୍ୱରେ ଥିବା ଜିଲ୍ଲା ବୁଲିବା ସହ ରାତି କାଟିବେ ସରକାରୀ ବାବୁ । ବିଭିନ୍ନ ପଞ୍ଚାୟତ ବୁଲି ସରକାରୀ ଯୋଜନାର କରିବେ ତଦାରଖ । ଗସ୍ତ ସମୟରେ ଏସସି/ଏସଟି ହଷ୍ଟେଲ, ମିଡ୍ ଡେ ମିଲ୍, ଆହାର କେନ୍ଦ୍ରରେ ଖାଇବା ସହ ଖାଦ୍ୟର ମାନ ପରଖିବେ ଅଧିକାରୀ । ଜିଲ୍ଲାରେ ଥିବା ହସ୍ପିଟାଲ ବୁଲିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦେଖିବେ, ଚିକିତ୍ସା ମିଳୁଛି କି ନାହିଁ ପଚାରି ବୁଝିବେ । ସରକାର ଦେଇଥିବା ଟାସ୍କକୁ ପୂରା କରିବାକୁ ହେଲେ ତୃଣମୂଳସ୍ତରରେ ପହଞ୍ଚିବାକୁ ପଡିବ । ଯେଉଁଥିପାଇଁ ଅନେକ ଅଧିକାରୀ ସହର ଛାଡି ଗାଁକୁ ଯିବାକୁ ନାକ ଟେକୁଥିବା ଚର୍ଚ୍ଚା ହେଉଛି । ତେବେ ଗତ କିଛି ମାସ ମଧ୍ୟରେ ଜିଲ୍ଲା ଗସ୍ତ କରିଥିବା ଅଧିକାରୀଙ୍କ ନାଁ ବିଧାନସଭାରେ ସାମ୍ନାକୁ ଆଣିଥିଲେ ମୁଖ୍ୟମନ୍ତ୍ରୀ ।
ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ସରକାରୀ ଅଧିକାରୀଙ୍କ ଦାୟିତ୍ୱ । କିନ୍ତୁ ପ୍ରଶ୍ନ ଉଠୁଛି, କାହିଁକି ଅନେକ ଅଧିକାରୀ ଜିଲ୍ଲା ଗସ୍ତ କରିବାକୁ ଅମଙ୍ଗ ? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ହେୟ ଜ୍ଞାନ କରିବାକୁ ଅଧିକାର ଦେଲା କିଏ ? ଉନ୍ନୟନ କମିଶନର କେବଳ ତାରିଖ ବଦଳାଇବେ ନା କାର୍ଯ୍ୟାନୁଷ୍ଠାନ ବି ନେବେ ?