କନକ ବ୍ୟୁରୋ: ଅଧିକାରୀ ମାନୁନାହାନ୍ତି ନିର୍ଦ୍ଦେଶ । ବିଧାୟକ, ସାଂସଦଙ୍କ ପାଇଁ ସ୍ବତନ୍ତ୍ର ସେଲ୍ ଗଠନ ହୋଇପାରଲାନି । ସଂସଦୀୟ ବ୍ୟାପାର ବିଭାଗର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ବିଭାଗୀୟ ଅଧିକାରୀ ବୁକ୍ ସର୍କୁଲାର୍ -୪୭ର ଅନୁପାଳନ କରୁନାହାନ୍ତି, ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ଉଦବେଗ ପ୍ରକାଶ କରିଛନ୍ତି ।
- ବୁକ୍ ସର୍କୁଲାରକୁ ମାନୁନାହାନ୍ତି ଅଫିସର୍
- କେବେ ଖୋଲିବ ବିଧାୟକ, ସାଂସଦଙ୍କ ସ୍ବତନ୍ତ୍ର ସେଲ୍?
ତାଗିଦ ପରେ ତାଗିଦ କିନ୍ତୁ ଫଳ ଶୂନ । ବିଧାୟକ, ସାଂସଦଙ୍କ ଅଭିଯୋଗ ପାଇଁ ହୋଇପାରୁନି ସ୍ୱତନ୍ତ୍ର ସେଲ୍ ଗଠନ । ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇସାରିଛି, କିନ୍ତୁ ସମ୍ପୃକ୍ତ ବିଭାଗ ଓ ଅଫିସର୍ ଏହାକୁ ମାନୁନାହାନ୍ତି । ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ନିଜ ବିଭାଗର ଅଧିକାରୀଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି । ଛ’ ମାସରେ ତିନି ତିନିଥର ଚିଠି ଲେଖିବା ପରେ ପୁଣିଥରେ ବିଭାଗର ସର୍ବୋଚ୍ଚ ଅଧିକାରୀଙ୍କୁ ଚିଠି ଲେଖି ଅସନ୍ତୋଷ ଜାହିର କରିଛନ୍ତି । ଏ ବିଷୟରେ ତୁରନ୍ତ ପଦକ୍ଷେପ ନେଇ ସଂସଦୀୟ ବ୍ୟାପାର ବିଭାଗକୁ ଅବଗତ କରିବାକୁ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଲୋକଙ୍କ ସରକାର କହୁଥିବା ବିଜେପି ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଅଭିଯୋଗ ଶୁଣାଣି ଆରମ୍ଭ କରିଥିଲେ । ବିଧାୟକ, ସାଂସଦଙ୍କ ଅଭିଯୋଗ ଶୁଣିବାକୁ ସ୍ୱତନ୍ତ୍ର ସେଲ୍ ଗଠନ ପାଇଁ ସଂସଦୀୟ ବ୍ୟାପାର ବିଭାଗ ସମସ୍ତ ବିଭାଗକୁ ପରାମର୍ଶ ଦେଇଥିଲେ । ସେଲରେ ଜଣେ ନୋଡାଲ୍ ଅଧିକାରୀ ରହିବେ ବୋଲି କୁହାଯାଇଥିଲା । ପ୍ରତି ମାସ ୧୦ ତାରିଖରେ ବିଧାୟକ, ସାଂସଦଙ୍କ ଅଭିଯୋଗକୁ ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାକୁ ସଂସଦୀୟ ବ୍ୟାପାର ବିଭାଗ ନିର୍ଦ୍ଦେଶ ଦେଇଥିଲା, କିନ୍ତୁ ଅନେକ ବିଭାଗ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି । ମୁଖ୍ୟ ଶାସନ ସଚିବ ବି ବୁକ୍-ସର୍କୁଲାର୍ ୪୭ର ଅନୁପାଳନ ହେଉନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ବଡ଼ ଅଧିକାରୀ ଜିଲ୍ଲା ଗସ୍ତରେ ଯାଉନାହାନ୍ତି । ଏପଟେ ବାରମ୍ବାର ତାଗିଦ ସତ୍ତ୍ୱେ ବୁକ୍ ସର୍କୁଲାର୍-୪୭ ପାଳନ ହେଉନି । ଫଳରେ ସାଂସଦ ଏବଂ ବିଧାୟକ ନିଜ ଅଞ୍ଚଳର ସମସ୍ୟା ଏବଂ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଭିନ୍ନ ବିଭାଗକୁ ଚିଠି ଲେଖି ନିରାଶ ହେଉଛନ୍ତି ।