କନକ ବ୍ୟୁରୋ : ସରକାରୀ ଚାକିରି କରିଛନ୍ତି । ଲୋକଙ୍କୁ ସେବା ଯୋଗାଇବା ପାଇଁ ସରକାର ମୋଟା ଦରମା ଦେଉଛନ୍ତି । କିନ୍ତୁ ଅଫିସରଙ୍କ କାମ କମ୍ ,ଲୁଟୁଛନ୍ତି ବେଶି। ଏବେ ଆଉ ଲୁଚି ଛପି କି ନୁହେଁ ବରଂ ଖୋଲାଖୋଲି ଖାଇ ଖୋଳ କରୁଛନ୍ତି । ଯାହା ଭିଜିଲାନ୍ସ ରେଡ୍ ବେଳେ ଜଳ ଜଳ ହୋଇ ଦିଶୁଛି । ପୂର୍ବରୁ ବାବୁମାନେ ବେନାମୀ ସମ୍ପତ୍ତି ରଖୁଥିଲେ ହେଲେ ଏବେ କିନ୍ତୁ ଘର ଭିତରେ ନଗଦ କୋଟି କୋଟି ଟଙ୍କା ରଖୁଛନ୍ତି । ବ୍ୟାଙ୍କ ଆକାଉଣ୍ଟରେ ବିଭିନ୍ନ ବୀମାରେ ବି ରଖୁଛନ୍ତି କୋଟି କୋଟି ଟଙ୍କା । ବଲିଉଡ୍ ଷ୍ଟାରଙ୍କ ଭଳି ଘରର ଇଣ୍ଟେରିୟର । ଜମିଦାର ଭଳି ଜମି ଆଉ ଆଖି ଖୋସି ଦେଲା ଭଳି ମାଳ ମାଳ କୋଠା । ଆଉ ଏବେ ଟଙ୍କା ନିବେଶର ବଡ଼ ବାଟ ପାଲଟିଛି ସପିଂ ମଲ୍ରେ ଘର କିଣା ।
ବାବୁ ମାଲାମାଲ୍ ଜନତା ବେହାଲ
କେଉଁଠୁ ଆସୁଛି କୋଟି କୋଟି ଟଙ୍କା
ଟିକିଏ ନଜର ପକାନ୍ତୁ କୋଟିପତି କୁବେର ଅଫିସରଙ୍କ ତାଲିକା ଉପରେ ।
- ରାୟଗଡ଼ାର ପୂର୍ବତନ ଜଳାଶୟ ପିଡି ଦୟାନିଧି ବାଘଙ୍କ ସମ୍ପତ୍ତି ୮୪ ଏକର
- କେନ୍ଦୁଝରର କେନ୍ଦୁପତ୍ର ଡିଭିଜନ୍ ବନ ଅଧିକାରୀ ନିତ୍ୟାନନ୍ଦ ନାୟକଙ୍କ ୧୧୫ ପ୍ଲଟ୍
- ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ୧୦୫ ପ୍ଲଟ୍
- ମାଲକାନଗିରି ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ସାଢ଼େ ୪ କୋଟିର ସମ୍ପତ୍ତି
ଏହା ସହିତ ଦୁର୍ନୀତିଖୋର ଅଫିସରଙ୍କର ଭୁବନେଶ୍ୱରରୁ ମିଳୁଛି ମାଳ ମାଳ ଫ୍ଲାଟ୍, ଦୋକାନ ଘର । ଏପରିକି ଅତୀତରେ ଧରା ପଡ଼ିଥିବା ବାବୁଙ୍କର ବିଭିନ୍ନ ସପିଂ ମଲରେ ଦୋକାନ ଘର ଥିବା ସାମନାକୁ ଆସିଛି । କୋଟି କୋଟି ଟଙ୍କା ଦେଇ ଦୋକାନ ଘର କିଣୁଛନ୍ତି ଆଉ ଭଡ଼ା ଆକାରରେ ଧୋଇ ଶୁଖେଇ ଜୀବନ ସାରା ଖାଉଛନ୍ତି। ଏବେ ପ୍ରଶ୍ନ ଉଠୁଛି -
କାହିଁକି ବଢ଼ୁଛି ଦୁର୍ନୀତି?
ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଛି କିଏ?
ଭିଜିଲାନ୍ସ ଏବେ ଜାଣୁଛି, ଆଗରୁ କେମିତି ଜାଣିପାରୁନି?
କେବେ ଲାଗିବ ଦୁର୍ନୀତିରେ ରୋକ୍?