କନକ ବ୍ୟୁରୋ: କ୍ୟାବିନେଟରେ ଆଉ ଚାଲିବନି ବାବୁରାଜ । ବିଭାଗୀୟ ସଚିବଙ୍କ ଉପରେ ଲାଗିଲା ଅଂକୁଶ । ଆବଶ୍ୟକ ନଥିଲେ କ୍ୟାବିନେଟ୍ ବୈଠକରେ ବସି ପାରିବେନି ଅଧିକାରୀ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।

Advertisment

ନବୀନଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସହ ସଚିବ ବି ବସୁଥିଲେ । ଆଉ କ୍ୟାବିନେଟ୍ ପ୍ରସ୍ତାବ ସଂକ୍ରାନ୍ତରେ ହେଉଥିଲା ଆଲୋଚନା । ଅଳ୍ପ ସମୟ ଭିତରେ ସରୁଥିଲା କ୍ୟାବିନେଟ ବୈଠକ । ତାପରେ ସଚିବ କିମ୍ବା ମନ୍ତ୍ରୀ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ଏଥିରେ ସଚିବ ସର୍ବେସର୍ବା ବୋଲି ବିଜେପି ବାରମ୍ବାର ଅଭିଯୋଗ ଆଣିଥିଲା ।  
 
ମୋହନଙ୍କ କ୍ୟାବିନେଟର ଦୃଶ୍ୟପଟ ଅଲଗା ରହିଛି । ସବୁ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବସିଛନ୍ତି ମୁଖ୍ୟ ଶାସନ ସଚିବ । ହେଲେ ନାହାନ୍ତି କେହି ବିଭାଗୀୟ ସଚିବ । ଆବଶ୍ୟକ ପଡ଼ିବା ପରେ ଉଚ୍ଚଶିକ୍ଷା ସଚିବ ଆସି ବୈଠକରେ ସାମିଲ ହୋଇଥିଲେ । ଆଉ ଦୀର୍ଘ ସମୟ ଧରି ବୈଠକ ବସିବା ପରେ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେଡି ସରକାର ଅମଳରେ ଚାଲିଥିବା ବାବୁରାଜ ଯୁଗ ଶେଷ ହୋଇଛି । ମୋହନ ସରକାରରେ ମନ୍ତ୍ରୀ ହିଁ ସର୍ବେସର୍ବା ବୋଲି ସ୍ପଷ୍ଟ କରିଦିଆଯାଇଛି । 

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହୋଇଛି ଏକ ନିର୍ଦ୍ଦେଶନାମା । ସବୁ ବିଭାଗକୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ସଚିବ । ନିର୍ଦ୍ଦେଶାନାମା ଅନୁସାରେ, 

  • ୫ ଦିନ ପୂର୍ବରୁ କ୍ୟାବିନେଟ୍ ବସିବାର ତାରିଖ ଧାର୍ଯ୍ୟ ହେବ
  • ୩ ଦିନ ପୂର୍ବରୁ କ୍ୟାବିନେଟର ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ 
  • ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବର ପୂରା ଫାଇଲ 
  • ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ପ୍ରସ୍ତାବ କ୍ୟାବିନେଟ୍‌କୁ ଆସିପାରିବ ନାହିଁ 
  • ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ ସଚିବ କ୍ୟାବିନେଟରେ ବସିପାରିବେ ନାହିଁ  

ପ୍ରସ୍ତାବଗୁଡ଼ିକ ଉପରେ ମୋହର ବାଜିବା ପରେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀମାନଙ୍କ ଦାୟିତ୍ୱ ବୋଲି କୁହାଯାଇଛି । ମେ ୮ ତାରିଖର ଏହି ନିର୍ଦ୍ଦେଶନାମା ଆଧାରରେ ୧୪ ତାରିଖ ଦିନ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । 
 
ବିଜେଡି ସରକାର ସମୟରେ କ୍ୟାବିନେଟ ଏଜେଣ୍ଡା ମନ୍ତ୍ରୀମାନଙ୍କ ପାଖକୁ ଯାଉନଥିବାର ଅଭିଯୋଗ କରୁଥିଲେ ବିରୋଧୀ । ପୂର୍ବ ସରକାରରେ ମନ୍ତ୍ରୀ କହୁଥିଲେ, କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସଚିବଙ୍କୁ ପଚାର । ଏହି ଧାରାକୁ ବଦଳାଇଦେଇଛନ୍ତି ମୋହନ ସରକାର