କନକ ବ୍ୟୁରୋ: ଲୋକଙ୍କ ସରକାରରେ ଦହଗଞ୍ଜ ହେଉଛନ୍ତି ଲୋକେ । ଶୁଣାଣି ହେଉଛି, କିନ୍ତୁ ସମାଧାନ ହେଉନି । ଆଉ ଏଥିପାଇଁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗକାରୀଙ୍କୁ ଧାଇଁବାକୁ ପଡୁଛି । ଜିଲ୍ଲାସ୍ତରରେ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ସରକାରୀ ବାବୁ ଏହାକୁ ଖାତିର କରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ କରି ଉଡାଇ ଦେଉଛନ୍ତି ଅଫିସର ।
ଏକଥା ଆମେ କହୁନୁ ବରଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଅଧିକାଂଶ ସାଧାରଣ ଲୋକଙ୍କ ମୁହଁରୁ ଏଭଳି ଶୁଣିବାକୁ ମିଳୁଛି । ଯେଉଁ ଅଭିଯୋଗକୁ ନିଜ ମୁହଁରେ ମାନିଛନ୍ତି ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅଭିଯୋଗର ସମାଧାନ ନ କରିବା କାରଣରୁ କଟକର ୪୮ ଜଣ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି ସରକାର । ଭୁବନେଶ୍ବରରେ ଶୁଣାଣି ହେଲେ ମଧ୍ୟ ଜିଲ୍ଲାସ୍ତରରେ ଅଭିଯୋଗର ସମାଧାନ ନହେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଭିଯୋଗକାରୀ । ଅନ୍ୟପଟେ ବାବୁଙ୍କ ମନମାନିକୁ ନେଇ କାର୍ୟ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।
ନୂଆ ସରକାରର ୯ ମାସ ଭିତରେ ଆଜି ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି ମୋହନ ମାଝୀ । ଏବେ ସୁଦ୍ଧା ୮୭୩୭ଟି ଅଭିଯୋଗ ପଞ୍ଜୀକରଣ ହୋଇଥିବା ବେଳେ ୭୩୩୧ଟି ଅଭିଯୋଗର ସମାଧାନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଗାଁରୁ ଆସୁଥିବା ଅଭିଯୋଗର ତ୍ବରିତ୍ବ ସମାଧାନ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ଅନ୍ୟପଟେ ବ୍ଲକସ୍ତରରେ ବାରମ୍ବାର ଧାଁ ଦୌଡ ସତ୍ତ୍ବେ ଅଫିସର ଶୁଣୁନଥିବା କହିଛନ୍ତି ଲୋକେ ।
ଅଭିଯୋଗକାରୀଙ୍କୁ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ବର ନ ଆସିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ବ୍ଲକ ଓ ଜିଲ୍ଲାସ୍ତରରେ ଅଭିଯୋଗ ଜଣାଇବାକୁ ନିବେଦନ କରିଥିଲେ ଏବଂ ଅଫିସରଙ୍କୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବାର ସାହସ କେଉଁଠୁ ପାଉଛନ୍ତି ଅଫିସର ?