କନକ ବ୍ୟୁରୋ: ଦରମା ଓ ପେନସନ ବାବଦକୁ ଅଧିକ ଟଙ୍କା ନେଇ ଯାଇଥିବା ଜଣେ ପୂର୍ବତନ ଅଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଆଣିବେ ମୋହନ ସରକାର। ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ତାଙ୍କ କାମରେ ଅବହେଳା କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ। ଓଡ଼ିଆ ଷ୍ଟାର୍ଟଅପ ଉଦ୍ୟୋଗୀଙ୍କୁ ଅଣଦେଖା କରି ଅଣଓଡ଼ିଆଙ୍କୁ ଗୁରୁତ୍ୱ ଦେଉଥିବା ନେଇ ଅଭିଯୋଗ ପରେ ବିବାଦୀୟ ହୋଇପଡ଼ିଥିଲେ। ଯାହାକୁ ଗୁରୁତର ସହ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ି ତଦନ୍ତ କରିଥିଲେ ବିଜେପି ସରକାର। ଏବେ ଏହି କରିତକର୍ମା ବାବୁଙ୍କଠୁ ଆଦାୟ ହେବ ୯ ଲକ୍ଷ ୨୨ ହଜାର ୫୩୦ ଟଙ୍କା। ଦରମା ଓ ପେନସନ୍ ବାବଦକୁ ଅଧିକ ଟଙ୍କା ନେଇଯାଇଥିବାରୁ ସହଜ କିସ୍ତିରେ ଅତିରିକ୍ତ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅର୍ଥ ବିଭାଗର ସ୍ପଷ୍ଟୀକରଣ ଆଧାରରେ ରାଜ୍ୟ ଏମଏସଏମଇ ବିଭାଗ ଏହି ଟଙ୍କା ଆଦାୟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। 

୨୦୨୨ ଏପ୍ରିଲରୁ ୨୦୨୪ ଜୁଲାଇ ମଧ୍ୟରେ ଦରମା ବାବଦରେ ଅଧିକ ୩ ଲକ୍ଷ ୫୯ ହଜାର ୦୪୦ଟଙ୍କା, ମହଙ୍ଗା ଭତ୍ତା ବାବଦରେ ୧ ଲକ୍ଷ ୪୨ ହଜାର ୭୧୮ ଟଙ୍କା ଓ ପେନସନ୍ ବାବଦରେ ୪ ଲକ୍ଷ ୨୦ ହଜାର ୭୭୨ ଟଙ୍କା ରାଜ୍ୟ ରାଜକୋଷରୁ ନେଇଛନ୍ତି ଡକ୍ଟର ଓମକାର ରାୟ। ଧାର୍ଯ୍ୟ ଦରମା ଓ ପେନସନଠାରୁ ଅଧିକ କେମିତି ନେଲେ ଏହି ଅଫିସର? କେଉଁ ସ୍ୱାର୍ଥରେ ଏହି ବାବୁଙ୍କ ଉପରେ ଅନୁକମ୍ପା ଅଜାଡ଼ି ଦେଇଥିଲେ ନବୀନ ସରକାର? ଏପରିକି ନିଜ ଯୋଗ୍ୟତାଠାରୁ ବଡ଼ ପଦବୀ ହାତେଇଲେ କେମିତି? 

ଧାର୍ଯ୍ୟ ୨ ଲକ୍ଷ ୧୧ ହଜାର ୮୦୦ ଟଙ୍କା ମୂଳ ଦରମା ପରିବର୍ତ୍ତେ ୨ ଲକ୍ଷ ୨୫ ହଜାର ଟଙ୍କା ଦରମା ନେଇଥିଲେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ । ଆଉ ବର୍ଦ୍ଧିତ ମୂଳ ଦରମା ଆଧାରରେ ଡିଏ ପାଇଥିଲେ ଓ ଧାର୍ଯ୍ୟ ପେନସେନ ତୁଳନାରେ ଅଧିକ ପେନସନ୍ ବି ନେଇଛନ୍ତି। ଏବେ ବିଭାଗୀୟ ତଦନ୍ତ ପରେ ବାବୁଙ୍କ ଦରମାର ପୁନଃନିର୍ଦ୍ଧାରଣ ହେବ ବୋଲି ଜଣାପଡ଼ିଛି।