କନକ ବ୍ୟୁରୋ: ଓଡ଼ିଆ ଭାଷାରେ କାମ କରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି । ତଥାପି ଅନେକ ଅଧିକାରୀ ଏହା ମାନିବାକୁ ନାରାଜ । ଏବେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏ ନେଇ କଡ଼ା ତାଗିଦ କରିବା ପରେ ଓଡିଆ ଭାଷା ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ତାଲିମ ନେଉଛନ୍ତି କିଛି ଅଧିକାରୀ । 

Advertisment

ଓଡିଆ ଅସ୍ମିତା କଥା କହି ଶାସନକୁ ଆସିଥିବା ବିଜେପି ସରକାରରେ ଏବେ ବଡ଼ବାବୁଙ୍କୁ ଘାରିଛି ଭାଷା ଚିନ୍ତା । ଓଡ଼ିଶା ଭାଷାରେ କାମ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କଡା ନିର୍ଦ୍ଦେଶନାମା ଜାରି କରିଛି । ତାସତ୍ତ୍ବେ ଓଡିଶା ଭାଷା ଲେଖିବାକୁ ମନଦେଉନାହାନ୍ତି ଅଫିସର । ଏବେ ବି ଅନେକ ବିଭାଗୀୟ ନିର୍ଦ୍ଦେଶନାମା ଇଂରାଜୀରେ ଲେଖାହେଉଛି । ଅଫିସରମାନେ ନଥି କାମରେ ଓଡିଆ ଭାଷାକୁ ଆପଣେଇପାରୁନାହାନ୍ତି । ପୁରୁଣା ଢାଞ୍ଚା ଛାଡ଼ିବାକୁ ନାରାଜ । ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଡ଼ା ନିର୍ଦ୍ଦେଶ ପରେ ଅଫିସରଙ୍କ ମଧ୍ୟରେ ଛନକା ପଶିଛି । ଆଉ ଓଡ଼ିଆ ଭାଷା ଶିଖିବାକୁ ଭୁବନେଶ୍ବରସ୍ଥିତ ଭାଷା ପ୍ରତିଷ୍ଠାନରେ ତାଲିମ ନେଉଛନ୍ତି ଓଡ଼ିଆ ଅଧିକାରୀ । 

ରାଜ୍ୟରେ ଅନେକ ବିଭାଗରେ ଅଣଓଡିଆ ଅଫିସର ଅଛନ୍ତି । ଓଡ଼ିଶା କ୍ୟାଡରରେ ଥିବା ଅଣଓଡ଼ିଶା ଅଧିକାରୀ ଏହାକୁ ମାନୁନାହାନ୍ତି । ଅଣଓଡ଼ିଶା ଅଫିସର ବି ଓଡ଼ିଆ ଭାଷାର ତାଲିମ ନେବେ କି? ଇଂରାଜୀରେ କାମ ହେଉଛି । ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉନାହିଁ ।  କାଁ ଭାଁ ଓଡ଼ିଆରେ ଚିଠି ଲେଖୁଛନ୍ତି ବିଭିନ୍ନ ବିଭାଗର ଅଧିକାରୀ । ବଡ଼ ଅଧିକାରୀଙ୍କ ଏଭଳି ଅଭ୍ୟାସ ଯୋଗୁଁ ତଳସ୍ତରର କର୍ମଚାରୀ ଓଡିଆ ଲେଖିବାକୁ ପଛଘୁଞ୍ଚା ଦେଉଛନ୍ତି ।  ତାଲିମ ପରେ ଅଧିକାରୀଙ୍କ ଓଡ଼ିଆ ପ୍ରେମ ଜାଗ୍ରତ ହେବ କି?

ଆଉ କିଛିଦିନ ପରେ ନୂଆ ସରକାରର ଏକବର୍ଷ ପୂର୍ତ୍ତି ହେବ । କିନ୍ତୁ ଓଡ଼ିଶା ଭାଷା କାହିଁକି ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ ହେଉନାହିଁ ଓ ଅଧିକାରୀମାନେ କାହିଁକି ଅନିଚ୍ଛା ପ୍ରକାଶ କରୁଛନ୍ତି, ସେ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ପ୍ରଶ୍ନ ଉଠୁଛି,

-ଓଡ଼ିଆ ଲେଖିବାକୁ କାହିଁକି ଇଚ୍ଛା ପ୍ରକାଶ କରୁନାହାନ୍ତି ଅଧିକାରୀ?
- ଓଡ଼ିଆ ଭାଷା କାର୍ଯ୍ୟକାରୀ କରିବାରେ କିଏ ସାଜୁଛି ବାଧକ? 
- ଅବମାନନା କରୁଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ?